
ଭୁବନେଶ୍ୱରରେ ଘଟିଛି ଲୋମହର୍ଷଣକାରୀ ଘଟଣା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡିତାଙ୍କ ଘର ବିହାରରେ । ଏମିତି କାଣ୍ଡ ଘଟିଛି କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ । ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି । ପୁଲିସ୍ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଇ ନାହିଁ ।
ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା କଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିଲେ । କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେ ବଢ଼ିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ । କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି । ପିନ୍ଧିଥିବା ପୋଷାକ ଚିରା ହୋଇଛି । ଏହା ଦେଖି ସେମାନେ ପୁଲିସ୍କୁ ଫୋନ୍ କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ଚିକିତ୍ସା ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ନାବଳିକା ସହ ପାଶବିକ ଅତ୍ୟାଚାର ହୋଇଛି । ନାବାଳିକା ଜଣଙ୍କ କଥା ମଧ୍ୟ ହୋଇପାରୁନଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘର ବିହାର ରାଜ୍ୟରେ ବୋଲି ନାବାଳିକା ଜଣଙ୍କ ଡାକ୍ତରଙ୍କୁ ଜଣାଇଛନ୍ତି । ପୀଡିତାଙ୍କ ଅବସ୍ଥା ଦେଖି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏ ବିଷୟରେ କ୍ୟାପିଟାଲ ଥାନା ପୁଲିସ୍କୁ ଜଣାଇଥିଲେ । ପୁଲିସ୍ ବିଳମ୍ବିତ ରାତିରେ ଗଣଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ନାବାଳିକାର ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ।
ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି, ଜଣେ ନାବାଳିକାକୁ କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତରମାନେ ଚିକିତ୍ସା କରୁଥିଲେ । ଏ ସମୟରେ ସେମାନଙ୍କୁ କିଛି ଗଡ଼ବଡ଼ ଅନୁଭବ ହୋଇଥିଲା । ସେମାନେ ପୁଲିସ୍କୁ ଯୋଗାଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଘର ବିହାର ବୋଲି କିଛି ପ୍ରମାଣ ମିଳି ନାହିଁ । ତା ଘର ବିହାର, ବୟସ ୧୭ ହେବ ବୋଲି ସେ ଡାକ୍ତରୀ ଟିମ୍କୁ କହିଛି । ଘଟଣାର ତଦନ୍ତ ଚାଲିଛି । ତାଙ୍କ ସହ କଣ ଘଟିଛି ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ୍ କମିଶନର କହିଛନ୍ତି ।
