
ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ହାଇଦ୍ରାବାଦରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି ।
ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି। ସ୍ବାମୀ ହାଇଦ୍ରାବାଦରେ ଇଲେକ୍ଟ୍ରିକାଲ ମେଣ୍ଟନାନ଼ସ ବିଭାଗରେ ଭାବେ କାମ କରୁଥିଲେ । ୬ ମାସ ପୂର୍ବେ ସ୍ତ୍ରୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ମହିଳା ଜଣକ ଶ୍ରମିକଙ୍କ ପିଲାଙ୍କ ପାଠ ପଢା ଦାୟିତ୍ବରେ ଥିଲେ ।
ଗତ ୧୧ ତାରିଖରେ ତାଙ୍କ ସ୍ବାମୀ ପୁଅକୁ ଧରି ଓଡ଼ିଶା ଆସିଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଶିକ୍ଷୟିତ୍ରୀଙ୍କ ଘର ଭିତରେ ପଶି ଖଟତଳେ ଲୁଚି ରହିଥିଲା ଦୁଷ୍କର୍ମକାରୀ । ମହିଳା ଜଣକ ରୁମକୁ ଆସିବା ପରେ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଅଭିଯୁକ୍ତ ସିସିଟିଭି ଫୁଟେଜରେ କଏଦ ହୋଇଛି ।
