
ଶୌଚ ହେବାକୁ ଯାଇଥିବା ବେଳେ ପଞ୍ଚମ ଶ୍ରେଣୀର ଶାରୀରିକ ଭିନ୍ନକ୍ଷମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତ ସୁଶାନ୍ତ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଭିନ୍ନକ୍ଷମ ନାବାଳିକା ମଙ୍ଗଳବାର ଅପରାହ୍ଣ ୩ଟାରେ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ଏତିକି ବେଳେ ଏକୁଟିଆ ଥିବାର ସୁଯୋଗ ନେଇ ବସ୍ତା ଥାନା ଦାଣ୍ଡନାବଦା ଗାଁର ସୁଶାନ୍ତ କୁମାର ଜେନା ଝିଅଟିକୁ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରି ଛାଡ଼ି ଦେଇଥିଲା । ଝିଅଟି ଯନ୍ତ୍ରଣା ସହି ନପାରି ଘରେ ସମସ୍ତ କଥା କହିଥିଲା । ତେବେ ନାବାଳିକାର ଏଭଳି ଅବସ୍ଥା ଦେଖି ବାପା ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ରାସଗୋବିନ୍ଦପୁର ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁଶାନ୍ତ ଜେନାକୁ ଥାନା ନେଇ ପଚରା ଉଚରା କରିଥିଲା । ଉଭୟଙ୍କ ଡାକ୍ତରୀ ମାଇନା ପରେ ପୁଲିସ ଏକ ମାମଲା ରୁଜୁ କରି ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

