
ଭାରତରେ ଏ ବର୍ଷ ସାଙ୍ଘାତିକ ଥରାଇବ ଜାଡ଼। ୧୧୦ ବର୍ଷ ଭିତରେ ଏହା ତୃତୀୟ ସର୍ବାଧିକ ଥଣ୍ଡା ପାଗ ସାବ୍ୟସ୍ତ ହେବ । ପାଣିପାଗ ବୈଜ୍ଞାନିକମାନେ ଏହି ଅନୁମାନ ଲଗାଇଛନ୍ତି । ସେମାନଙ୍କ ଯୁକ୍ତି ଯେ ଏବେଠାରୁ ଉପରିସ୍ଥ ହିମାଳୟର ୮୫% ଅଂଶ ବରଫାବୃତ ହୋଇଗଲାଣି । ଏଭଳି ଘଟଣା ଅନ୍ତତଃ ଦୁଇମାସ ପରେ ଘଟିବା କଥା । କିନ୍ତୁ ‘ଲା ନୀନା’ ପ୍ରଭାବ ଯୋଗୁ ଏଥର ଦୁଇମାସ ଆଗରୁ ଏହା ଘଟୁଛି । ହିମାଳୟ ଏଭଳି ଅସ୍ୱାଭାବିକ ଭାବେ ଥଣ୍ଡା ହେବା ଯୋଗୁ ପ୍ରଭାବ ସାରା ଦେଶ ଉପରେ ପଡ଼ିବ। ପାଶ୍ଚାତ୍ୟରେ ଦେଖାଦେଇଥିବା ଅସ୍ୱାଭାବିକ ଜଳବାୟୁ ସ୍ଥିତି ଯୋଗୁ ହିଁ ଏହି ସମସ୍ୟା ଉପୁଜିଛି । ଏହି କାରଣରୁ ହିମାଳୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେବେ ଏହା ଏକ ଭଲ ସଙ୍କେତ ବୋଲି କୁହାଯାଉଛି ।
ସେପଟେ ଡିସେମ୍ବରରେ ‘ଲା ନୀନା’ ସକ୍ରିୟ ହେବାକୁ ଯାଉଛି । ‘ଲା ନୀନା’ ଏଭଳି ଏକ ସ୍ଥିତି ଯେଉଁଥିରେ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥଣ୍ଡା ହୋଇଥାଏ । ଏହି କାରଣରୁ ଭାରତରେ ଅଧିକ ବର୍ଷା ଓ ଥଣ୍ଡା ଅନୁଭୂତ ହୁଏ । ଏ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଏଣିକି ଅଧିକ ଥଣ୍ଡା ଅନୁଭୂତ ହେବ । ଉପରିସ୍ଥ ହିମାଳୟ ଅର୍ଥାତ ୪ ହଜାର ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ହାରାହାରି ତାପମାତ୍ରା ବିଯୁକ୍ତ ୧୫ ଡିଗ୍ରୀ କିମ୍ବା ତାହାଠାରୁ କମ୍ ରହିଥାଏ । ଲା ନୀନା କାରଣରୁ ଉତ୍ତର, ମଧ୍ୟ ଓ ପୂର୍ବ ଭାଗରେ ହାରାହାରି ତାପମାତ୍ରା ୩-୪ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ଆହୁରି ଖସିପାରେ। ଇତିମଧ୍ୟରେ ମଧ୍ୟପ୍ରଦେଶରେ ଥଣ୍ଡା ପାଗ ପ୍ରବେଶ କରିସାରିଛି । ରାଜଧାନୀ ଭୋପାଳରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି, ଯାହା କି ସ୍ୱାଭାବିକଠାରୁ ୩.୬ ଡିଗ୍ରୀ ସେଲ୍ସିୟସ୍ କମ୍ । ଭୋପାଳରେ ୨୬ ବର୍ଷ ମଧ୍ୟରେ ଏହା ତୃତୀୟ ଘଟଣା । ରାଜସ୍ଥାନରେ ଦିନ ଓ ରାତିର ତାପମାତ୍ରା ମଧ୍ୟରେ ବ୍ୟବଧାନ ପରିଲକ୍ଷିତ ହୋଇଛି । ରାଜ୍ୟର ସିକରରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସ୍ରୁ ତଳେ ଥିବା ରେକର୍ଡ କରାଯାଇଛି ।
ପାଣିପାଗ ବିଶେଷଜ୍ଞଙ୍କ ମୁତାବକ, ହିମାଳୟରେ ସଦ୍ୟ ବରଫପାତ ଯୋଗୁ ଗ୍ଲେସିୟର ଶକ୍ତିଶାଳୀ ହେବା ନେଇ ସଙ୍କେତ ମିଳିଛି । ହିମାଳୟରେ ତାପମାତ୍ରା କମ୍ ହେବା ଦ୍ୱାରା ଏଥର ବରଫ ତରଳିବା ବନ୍ଦ କରିଦେଇଛି । ଏହାଦ୍ୱାରା ଗ୍ଲେସିୟର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିବ । ଫଳରେ ସମଗ୍ର ଉତ୍ତର ଭାରତର ନଦୀଗୁଡ଼ିକର ସ୍ରୋତ ଆଉ ଶୁଖିବ ନାହିଁ । ନେପାଳଠାରୁ କାଶ୍ମୀର ପର୍ଯ୍ୟନ୍ତ ବର୍ତ୍ତମାନ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଛି । ସିକିମ୍, କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉପରିସ୍ଥ ହିମାଳୟ ଉପରେ ଧଳା ବରଫ ଚାଦର ଢାଙ୍କି ହୋଇଗଲାଣି । ବରଫ ଆଚ୍ଛାଦନ ଅଞ୍ଚଳ ମଧ୍ୟ ବୃଦ୍ଧି ପାଇଛି । ଏହି କାରଣରୁ ମଧ୍ୟ ଓ ନିମ୍ନ ହିମାଳୟ କ୍ଷେତ୍ର ଏବଂ ସମତଳ ଭାଗରେ ଅକ୍ଟୋବରରୁ ହିଁ ତାପମାତ୍ରା ନିମ୍ନଗାମୀ ହେବାରେ ଲାଗିଛି ।
ପାଣିପାଗ ବୈଜ୍ଞାନିକଙ୍କ ତଥ୍ୟ ମୁତାବକ, ଭାରତୀୟ ଉପମହାଦ୍ୱୀପର ହାରାହାରି ଭୂପୃଷ୍ଠ ତାପମାତ୍ରା ଗତ ୧୨୨ ବର୍ଷରେ ୦.୯୯ ଡିଗ୍ରୀ ସେଲ୍ସିୟସ ବଢ଼ିଛି । କିନ୍ତୁ ଚଳିତବର୍ଷ ଶେଷ ଆଡ଼କୁ ଏହି ବୃଦ୍ଧି ଅସ୍ଥାୟୀ ରୂପେ ପଲଟି ଯିବ । କାରଣ ‘ଲା ନୀନା’ ଯୋଗୁ ବୈଶ୍ୱିକ ତାପମାତ୍ରା ୦.୨ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି । ଏପଟେ ଥଣ୍ଡା ପାଗ ଆଗମନ ହେବା କ୍ଷଣି ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଛି । ଫଳରେ ଗ୍ରାପ୍-୧ କଟକଣା ଲାଗୁ କରାଯାଇଛି ।

