
ତାଳଚେର ଆଞ୍ଚଳିକ ସିଭିଲ ଠିକାଦାର ସଙ୍ଘ ପକ୍ଷରୁ ୬ଦଫା ଦାବି ନେଇ ଏକ ଦାବିପତ୍ର MCL ର ଜଗନ୍ନାଥ ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି ।ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶତାଧିକ ଠିକାଦାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଦାବିପତ୍ର ପ୍ରଦାନ କରିଥିଲେ ।
ସୂଚନା ଅନୁସାରେ ବିଗତ ଦିନରେ ଠିକାଦାର ମାନେ ଏମ୍ସିଏଲର ଛୋଟ ଛୋଟ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ବର୍ତ୍ତମାନ ସବୁ କାର୍ଯ୍ୟକୁ ଏକାଠି କରି ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ କାମକୁ ଇ ଟେଣ୍ଡର ମାଧ୍ୟମରେ ବାହାର କରୁଥିବାରୁ ଏଥିରୁ ବଞ୍ଚିତ ହେଉଛନ୍ତି ଠିକାଦାର । ଯାହାକୁ ନେଇ ଛୋଟ କାମ ପାଇଁ ମାନୁଆଲ ଟେଣ୍ଡର ସହ ଟେଣ୍ଡରର ଯୋଗ୍ୟତା ନିୟମ ସହଜିକରଣୀ ଓ ସ୍ଥାନୀୟ ଠିକାଦାରଙ୍କୁ ପ୍ରାଧାନ୍ୟ ଏବଂ ଦୁଇ ବର୍ଷ ଅବଧି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆଦି ଦାବି ନେଇ ଠିକାଦାର ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖୁବଶୀଘ୍ର ସମସ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
