
ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଲେଡିଜ୍ ହଷ୍ଟେଲ ଗେଟ୍ ଡେଇଁ ପ୍ରଥମ ମହଲାରେ ଶୋଇଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଭୁବନେଶ୍ଵର ଶୈଳଶ୍ରୀବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ଭୁବନେଶ୍ଵର ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଏକ ଲେଡିଜ୍ ହଷ୍ଟେଲ୍ ଗେଟ୍ ଡେଇଁ ଜଣେ ଦୁର୍ବୃତ୍ତ ପଶି ଯାଇଥିଲେ। ପ୍ରଥମ ମହଲରେ ଶୋଇଥିବା ଜଣେ ଯୁବତୀଙ୍କ ରୁମ୍ରେ ପଶି ଅସଦାଚରଣ କରିଥିଲେ। ବିଲ୍ଡିଂର ଅନ୍ୟ ରୁମ୍ ଗୁଡ଼ିକୁ ବାହାର ପଟୁ ଲକ୍ କରିଦେଇଥିଲେ। ଫଳରେ ଅନ୍ୟ ଅନ୍ତେବାସୀ ବାହାରକୁ ବାହାରି ପାରିନଥିଲେ। ବାଥରୁମ୍ ଭିତରେ ଥିବା ଯୁବତୀଙ୍କ ରୁମ୍ ମେଟ୍ ଆସି ଯିବାରୁ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଥିଲା। ଦୁଇ ଯୁବତୀ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି କରି ଖଣ୍ଡିଆ ଖାବରା ହୋଇଛନ୍ତି। ଯୁବକ ଜଣଙ୍କ ଧାରୁଆ ଅସ୍ତ୍ର ଦେଖାଇବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ କରି ଖସି ପଳାଇଛି। ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଯାଞ୍ଚ କରିବା ସହ ହଷ୍ଟେଲ ମାଲିକଙ୍କୁ ଚନ୍ଦ୍ରଶେଖର ଥାନା ପୁଲିସ ପଚରାଉଚରା କରୁଛି।
