
ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ବଡ଼ ଖୁଲାସା ହେଉଛି। ‘ବଣିକ’ କୋଚିଂ ସେଣ୍ଟର ସହ ସନ୍ଦିଗ୍ଧ ଲିଙ୍କ୍ ଥିବା ଅଭିଯୋଗରେ ଗତକାଲି କ୍ରାଇମବ୍ରାଞ୍ଚ ଦଳ ଉକ୍ତ କୋଚିଂ ସେଣ୍ଟରରେ ରେଡ କରିଥିଲା। ରେଡ ପରେ ‘ବଣିକ’ର ତିନି ଜଣ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି।
ନୋଟିସ ପାଇଥିବା ଅଧିକାରୀମାନେ ହେଲେ— HR ମ୍ୟାନେଜର୍, ଆଡମିନ୍ ମ୍ୟାନେଜର ଓ ଆକାଉଣ୍ଟ ହେଡ୍। କ୍ରାଇମବ୍ରାଞ୍ଚ ନୋଟିସ୍ ଆଧାରରେ ସେମାନେ ଆଜି କଟକ ସ୍ଥିତ କାର୍ଯ୍ୟାଳୟରେ ପ୍ରାତଃ ୧୧ଟାରେ ହାଜର ହେବେ ବୋଲି ସୂଚନା ମିଳିଛି।
ଗତକାଲି ରେଡ ସମୟରେ କ୍ରାଇମବ୍ରାଞ୍ଚ ଜାଣିଥିଲା ଯେ, ଏସଆଇ ଚାକିରି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ଛାତ୍ରଙ୍କ ମଧ୍ୟରୁ ୧୨ ଜଣଙ୍କ ସହ ‘ବଣିକ’ କୋଚିଂ ସେଣ୍ଟରର ସଂଯୋଗ ରହିଛି। ସେମାନଙ୍କ ମଧ୍ୟରୁ ୬ ଜଣ ବଣିକ କୋଚିଂରେ ପ୍ରଶିକ୍ଷଣ ନେଉଥିଲେ ବୋଲି ରେଡ ବେଳେ ଜଣାପଡିଛି। ସେହି ତଥ୍ୟ ଆଧାରରେ ବଣିକର ତିନିଜଣ କର୍ମଚାରୀଙ୍କୁ ଯାଂଚ ପାଇଁ ନୋଟିସ ଜାରି କରାଯାଇଛି ଓ ସେମାନେ ହାଜର ହୋଇ ନିଜ ପକ୍ଷ ରଖିବେ।
ଏହି ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ପୋଲିସ ତଦନ୍ତରେ ଜଣାପଡିଛି ଯେ ଏସଆଇ ଚାକିରି ପଛରେ ଏକ ବଡ଼ ସିଣ୍ଡିକେଟ୍ କାର୍ଯ୍ୟରତ ଥିଲା। ଚାକିରି ପାଇଁ ଅଭିଯୁକ୍ତମାନେ ଅରିଜିନାଲ ସର୍ଟିଫିକେଟ ନେଇ ଡିଲ୍ କରୁଥିଲେ ଓ ବ୍ଲାଙ୍କ ଚେକ୍ ମାଧ୍ୟମରେ ଟଙ୍କା ଲେନଦେନ ହେଉଥିଲା।
ବିଭିନ୍ନ କୋଚିଂ ସେଣ୍ଟରର ଶିକ୍ଷକମାନଙ୍କ ଜରିଆରେ ଏହି ଅନୈତିକ କାରବାର ଚାଲୁଥିବା ସନ୍ଦେହ ରହିଛି। କ୍ରାଇମବ୍ରାଞ୍ଚ ଏବେ ସେହି ସିଣ୍ଡିକେଟର ମୂଳ ହାତ ଖୋଜିବା ପାଇଁ ତଦନ୍ତ ଜୋରଦାର କରିଛି।
