ବନ୍ଦ ରହିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି, ଉପବାସରେ ଠାକୁର

ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା । ମଙ୍ଗଳବାର ସନ୍ଧ୍ୟାଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ ରହିଛି । ବୁଧବାର ମଧ୍ୟ କୌଣସି ନୀତି ଅନୁଷ୍ଠିତ ହୋଇପାରିବ ନାହିଁ । ଏଭଳି ସ୍ଥିତି ପାଇଁ ମକର ପୂର୍ବ ସନ୍ଧ୍ୟାର ନବାଙ୍କ ବେଢାରେ କ୍ଷୀର ଆଉଟା ସେବା ଅଧିକାର ବିବାଦ ହିଁ ମୁଖ୍ୟ କାରଣ । ଯାହା ୨୦୨୫ ମସିହାରେ ସୂତ୍ରପାତ ହୋଇଥିଲା ।
୨୦୨୫ ମକର ପୂର୍ବ ସନ୍ଧ୍ୟାରେ ସାମନ୍ତରା ଘରୁ ଘୃତ କମଳ ପ୍ରସ୍ତୁତି ନିମନ୍ତେ ଖୀର ଅଣାଯାଇଥିଲା । ସେହି କ୍ଷୀରକୁ ଆଉଟାଇ ଘୃତ କମଳ ପ୍ରସ୍ତୁତି ହୋଇଥିଲେ ମକରରେ ଶ୍ରୀଜିଉଙ୍କୁ ଲାଗି ହୋଇଥାନ୍ତା । କିନ୍ତୁ କ୍ଷୀର ଆଉଟାଇବା ଲାଗି ବଡୁ ଏବଂ ବ୍ରାହ୍ମଣ ସେବାୟତଙ୍କ ମଧ୍ୟରେ ସେବା ସ୍ୱତ୍ତ୍ୱ ପାଇଁ ଯୁକ୍ତିତର୍କ ହୋଇଥିଲା । ଫଳରେ ଠାକୁର ମକର ମଣ୍ଡପରେ ଗୋଟିଏ ରାତି ଏବଂ ପର ଦିନ ତମାମ ନଖାଇ ନପିଇ ଖାଡା ଉପବାସ ରହିଥିଲେ । ଏଥର ଏହି ବିବାଦକୁ ରୋକିବାକୁ ଟ୍ରଷ୍ଟବୋର୍ଡ ସଭାପତି ତଥା ଜିଲ୍ଲାପାଳ କ୍ଷୀର ଆଉଟାଇବା ଲାଗି ବ୍ରାହ୍ମଣ ନିଯୋଗର ପୁସ୍ପାଳକ ସେବାୟତଙ୍କୁ ପରାମର୍ଶ ଦେଇଥିବା ବେଳେ ବଡୁଙ୍କୁ ଘୃତ କମଳ ଲାଗି କରାଇବାକୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବଡୁ ନିଯୋଗ ଏହି ନିଷ୍ପତ୍ତି ଅବୈଧ ଦର୍ଶାଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।
ହାଇକୋର୍ଟ ଶ୍ରୀଜିଉଙ୍କ ନୀତି ବାବଦରେ ଜିଲ୍ଲାପାଳଙ୍କ କ୍ଷମତା ନଥିବା ଦର୍ଶାଇଥିଲେ ଏବଂ ୨୬ ଫେବ୍ରୁାରୀ କିମ୍ବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ନୀତି ନ କରାଇବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଜିଲ୍ଲାପାଳଙ୍କ ମକର ଯାତ୍ରା ନୀତି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏଣେ ବ୍ରାହ୍ମଣ ନିଯୋଗ ସଭାପତି ସହକାରୀ ଦେବୋତ୍ତର କମିଶନରଙ୍କୁ ସାକ୍ଷାତ କରି ମକର ଯାତ୍ରା ଯେମିତି ବି କରାଇବାକୁ ଲିଖିତ ଦାବି ଜଣାଇଥିଲେ । ଦେବୋତ୍ତର କମିସନର ଏହି ବିବାଦୀୟ ଯାତ୍ରା ନୀତିକୁ ବାଦ୍ଦେଇ ଦୈନନ୍ଦିନ ନୀତି କରାଇବାକୁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେବାୟତଙ୍କୁ ଏହି ବାର୍ତ୍ତା ମନ୍ଦିର ପ୍ରଶାସନ ନ ଜଣାଇବା କାରଣରୁ ନୀତି ଅଧାରୁ ଅଟକି ଗଲା ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି ।
ମଙ୍ଗଳବାର ସନ୍ଧ୍ୟାଧୂପ କରିବାକୁ ଅମୁଣିଆ ବ୍ୟଞ୍ଜନ ବ୍ୟତିତ ପତ୍ରୀ ସବୁ ପୂଜା ସାମଗ୍ରୀ ଠା କରି ଦେଇଥିଲେ । କିନ୍ତୁ ନିୟମ ମୁତାବକ ଏହି ସମୟରେ ମେଘଡମ୍ବରୁ ଓ ଘଣ୍ଟ ନେଇ ସାମନ୍ତରା ଘରୁ କ୍ଷୀର ଆଉଟାଇବା ପାଇଁ କ୍ଷୀର ଆସିଲା ବେଳେ ସଂନ୍ଧ୍ୟାଧୂପ ବଢିବା କଥା । କିନ୍ତୁ ବଡୁ ସେବାୟତ ମକର ଯାତ୍ରା ଅଦାଲତରେ ବିଚାରଧୀନ ଅଛି କହି ଥିବାରୁ ଖୀର ଆଣିବା ପ୍ରକ୍ରିୟା ଅଟକି ଗଲା ଓ ହାଣ୍ଡି ମନ୍ଦିର ପ୍ରଶାସନକୁ ଫେରାଇ ଦିଆଯାଇଛି । ହେଲେ ଠାକୁରଙ୍କ ଦୈନନ୍ଦିନ ନୀତି କରାଇବା ଲାଗି ପ୍ରଶାସନ ଚେଷ୍ଟା ନ କରିବା କଥା ଏବେ ସବୁଠି ଆଲୋଚନା ହେଉଛି । ଏହା ମନ୍ଦିର ପ୍ରଶାସନର ଖାମଖିଆଲି ମନୋଭାବ ବୋଲି ଅନେକ ସେବାୟତ ଓ ଶ୍ରଦ୍ଧାଳୁ କହୁଛନ୍ତି ।
