
ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ୟାନାମ୍ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ ହେବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋର୍ରେ ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ କରିବ । ସେତେବେଳକୁ ପବନର ବେଗ ସାମାନ୍ୟ କମିଥିବ ସତ, କିନ୍ତୁ ୬୦ରୁ ୭୦ କିଲୋମିଟର ବେଗରେ ମାଡ଼ ହେଉଥିବ । ତା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା । ମାଲକାନଗିରିରୁ କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମା ଦେଇ ନବରଙ୍ଗପୁରରେ ପଶିବ । ଉମରକୋଟ ଅତିକ୍ରମ କରି ଛତିଶଗଡ଼କୁ ଯିବ ବାତ୍ୟା । ଏଭଳି ଗତିପଥ ପୂର୍ବାନୁମାନ ଦେଇଛି ପାଣିପାଗ ବିଭାଗ । ୨୯ ତାରିଖ ଦିନତମାମ୍ ଓଡ଼ିଶା ଉପରେ ରହିବ ମୋନ୍ଥା । ପ୍ରଭାବରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳରେ ପବନ ସହ ଭାରୀ ବର୍ଷା ହୋଇପାରେ ।
ପାଣିପାଗ ବିଭାଗର ସୂଚନା ମୁତାବକ ସୋମବାର ସକାଳେ ବାତ୍ୟା ରୂପ ନେଲା ଗଭୀର ଅବପାତ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୨୮ ତାରିଖ ସକାଳେ ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ । ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିବ ଆନ୍ଧ୍ର ଉପକୂଳ ଦେଇ ।
ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବନି । ତଥାପି ୨୯ ତାରିଖ ଯାଏ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସୋମବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟା ମୁକାବିଲା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ୯ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ ହୋଇଛି । କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ୧୨୮ଟି ଟିମ୍ ଗଢ଼ିଛି ସ୍ୱତନ୍ତ୍ର ରିଲିଫ କମିଶନର ।
ସୋମବାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପୁରୀ, ଗଞ୍ଜାମ ଓ ଗଜପତିରେ କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୫୦ କିମି ବେଗରେ ଝଟ୍କା ପବନ ମଧ୍ୟ ବହିବ ବୋଲି ପାଣିପାଗ ବିଭାଗ କହିଛି । ବାତ୍ୟା ପାଇଁ ୯ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ କରାଯାଇଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସେଠାକାର ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।
ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୮ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡା ପାଖରେ ବାତ୍ୟା ଉପକୂଳ ଛୁଇଁବ । ସନ୍ଧ୍ୟା ୬ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବ । ଲ୍ୟାଣ୍ଡଫଲ ପରେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଲପୁର ଓ ରାୟପୁରର ପଶ୍ଚିମରେ ଗତି କରିପାରେ । ଏଭଳି ହେଲେ ଅବିଭକ୍ତ କୋରାପୁଟ ଓ ନୂଆପଡ଼ାରେ ୪୦ରୁ ୫୦କିମି ବେଗରେ ପବନ ବହିପାରେ । କିନ୍ତୁ ଯଦି ମାଲକାନଗିରି ଦେଇ ଗତି କରିବ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ନୂଆପଡ଼ା ସହିତ କଳାହାଣ୍ଡିରେ ୫୦ରୁ ୬୦ କିମି ବେଗରେ ପବନ ବହିବ ।
ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ବାତ୍ୟା ପ୍ରଭାବରେ ଦକ୍ଷିଣ ଉପକୂଳରେ ଭାରୀ ବର୍ଷା ହେବ । ସୋମବାର ଅପରାହ୍ନରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା ଓ ପୁରୀରେ ବର୍ଷା ହେବ । ହାରାହାରି ବର୍ଷା ପରିମାଣ ୨୫ରୁ ୪୦ମିମି ରହିବ । ୨୮ ଓ ୨୯ ତାରିଖରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗଜପତି, ଗଞ୍ଜାମ ଓ ଖୋର୍ଦ୍ଧାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ୨୭ରୁ ୩୦ ତାରିଖ ଭିତରେ ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳି, ରମ୍ଭା ଓ ବାଲୁଗାଁରେ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି ।
