
ବଢ଼ୁଛି ବାରବାଟୀ ରୋମାଞ୍ଚ । ଆରମ୍ଭ ହୋଇଛି କାଉଣ୍ଟଡାଉନ । ମଝିରେ ଆଉ ଗୋଟିଏ ଦିନ । ୯ ତାରିଖରେ ବାରବାଟୀ ଟକ୍କର । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ । ଆଜି ଦୁଇ ଦଳର ସବୁ ଖେଳାଳି ଆସି ପହଞ୍ଚିବେ । ୫ ତାରିଖରେ ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ପହଞ୍ଚିଥିଲେ ।
ଗତକାଲି ହାର୍ଦ୍ଦିକ ପାଣ୍ଡ୍ୟା ପହଞ୍ଚିଛନ୍ତି । ଆଜି ଅନ୍ୟ ଖେଳାଳିମାନେ ପହଞ୍ଚିବେ । ଓସିଏ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳାଳିଙ୍କୁ ବିମାନ ବନ୍ଦରରୁ ହୋଟେଲକୁ ଅଣାଯିବ । ଗତକାଲି ପାଣ୍ଡ୍ୟା ଆସିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଫ୍ୟାନମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
