
ଚୀନର ଅନ୍ୟତମ ସବୁଠୁ ସମ୍ମାନିତ ସମସାମୟିକ ଚିତ୍ରକର ଫାନ୍ ଜେଙ୍ଗ୍ଙ୍କ ନେଇ ଏବେ ଚର୍ଚ୍ଚା । ୮୭ ବର୍ଷ ବୟସରେ ପୁତ୍ର ସନ୍ତାନ ଲାଭ କରିଥିବା ସେ ଘୋଷଣା କରିଛନ୍ତି । ନିଜର ଅନ୍ୟ ପିଲାଙ୍କ ସହିତ ସମ୍ପର୍କ ଛିନ୍ନ କରିବା ବିଷୟରେ ମଧ୍ୟ ଘୋଷଣା କରିଛନ୍ତି । ଏହି ଖବର ପୁଣି ଥରେ ୮୭ ବର୍ଷୀୟ ଫାନ୍ଙ୍କ ବ୍ୟକ୍ତିଗତ ଜୀବନକୁ ଲୋକଲୋଚନକୁ ଆଣିଛି ଏବଂ ତାଙ୍କ ଲମ୍ବା କଳାତ୍ମକ କ୍ୟାରିଅର୍ ପଛରେ ପଡ଼ିଛି।
ପାରମ୍ପରିକ ଚାଇନିଜ୍ ପେଣ୍ଟିଂ ଓ କାଲିଗ୍ରାଫି ପାଇଁ ଫାନ୍ ବେଶ ଲୋକପ୍ରିୟ । ଚୀନ୍ର ଗଣମାଧ୍ୟମ ଅନୁସାରେ, ତାଙ୍କ କଳାକୃତି ସବୁ ୨୦୦୮ରୁ ୨୦୨୪ ମଧ୍ୟରେ ନିଲାମରେ ୪୦୦ କୋଟି ୟୁଆନ, ଅର୍ଥାତ୍ ପ୍ରାୟ ୫୬୭ ନିୟୁତ ଆମେରିକୀୟ ଡଲାରରେ ବିକ୍ରି ହୋଇଛି । ତାଙ୍କର ଅନେକ ଚିତ୍ରକଳା ୧୦ ନିୟୁତ ୟୁଆନରେ ବିକ୍ରି ହୋଇଛି । ୧୯୯୧ ମସିହାର ଏକ କଳାକୃତି ୨୦୧୧ରେ ବେଜିଂରେ ଆୟୋଜିତ ନିଲାମରେ ୧୮.୪ ନିୟୁତ ୟୁଆନରେ ବିକ୍ରି ହୋଇଥିଲା । ତାଙ୍କ କାଲିଗ୍ରାଫି ମଧ୍ୟ ଖୁବ୍ ମୂଲ୍ୟବାନ, ଯାହା ପ୍ରାୟତଃ ପ୍ରତି ବର୍ଗ ମିଟର ପିଛା ୨୦୦,୦୦୦ ୟୁଆନରେ ବିକ୍ରି ହୁଏ । ଗତ ୧୧ ତାରିଖରେ ଫାନ୍ ସୋସିଆଲ ମିଡିଆରେ ଘୋଷଣା କରିଥିଲେ, ତାଙ୍କର ୩୭ ବର୍ଷୀୟା ପତ୍ନୀ ସୁ ମେଙ୍ଗ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସେହି ଶିଶୁକୁ ସେ ନିଜର ଏକମାତ୍ର ସନ୍ତାନ କହିଲେ । ପତ୍ନୀ ଓ ପୁଅ ସହିତ ଏବେ ସେ ଏକ ନୂଆ ଘରେ ରହୁଥିବା କଥା ବି ଜଣାଇଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ବୟସାଧିକ୍ୟ ହେତୁ ପରିବାର କଥା ବୁଝିବାକୁ ସେ ପତ୍ନୀ ସୁଙ୍କୁ ପୂରା ଦାୟିତ୍ୱ ଦେଇଛନ୍ତି । ସେହି ପୋଷ୍ଟ୍ରେ ଫାନ୍ ଆହୁରି ଘୋଷଣା କରିଥିଲେ, ନିଜ ଝିଅ ଫାନ୍ ସିଆଓହୁଇ, ସାବତ ପୁଅ ଫାନ୍ ଝୋଙ୍ଗ୍ଦା ଓ ତାଙ୍କ ପରିବାର ସହିତ ସେ ସବୁ ସମ୍ପର୍କ ଛିନ୍ନ କରିଛନ୍ତି । କିଛି ଲୋକଙ୍କ ବିରୋଧରେ ଅଭିଯୋଗ କରି ସେ କହିଥିଲେ, ସେମାନେ ତାଙ୍କ ବିରୋଧରେ ଗୁଜବ ପ୍ରଚାର କରୁଛନ୍ତି ଏବଂ ତାଙ୍କ ପରିବାରର କ୍ଷତି କରୁଛନ୍ତି । ନିଜର ଅନ୍ୟ ପିଲାଙ୍କୁ ତାଙ୍କ ନାଁ ବ୍ୟବହାର କରିବାର ଅନୁମତି ପ୍ରଦାନ କରୁଥିବା ସମସ୍ତ ଅଧିକାରରୁ ସେ ବଞ୍ଚିତ କରିଛନ୍ତି । ଫାନ୍ଙ୍କ ପରିବାର ବିବାଦ ବେଶ କିଛି ବର୍ଷ ହେଲା ଚର୍ଚ୍ଚାର ବିଷୟ ହୋଇଛି । ଗତ ଅଗଷ୍ଟରେ ତାଙ୍କ ଝିଅ କହିଥିଲେ ଯେ ବାପାଙ୍କ ପତ୍ନୀ ସୁ ତାଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛନ୍ତି । ଏଥିଯୋଗୁ ତାଙ୍କ ସହ ତାଙ୍କର ସମ୍ପର୍କ ହୋଇପାରୁ ନାହିଁ । ସୁ ଫାନ୍ଙ୍କ କଳାକୃତିଗୁଡ଼ିକୁ ତାଙ୍କ ବିନା ଅନୁମତିରେ ବିକ୍ରି କରିଛନ୍ତି, ଯାହାର ମୂଲ୍ୟ ୨୪୦୦ କୋଟି ବୋଲି ଝିଅ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଫାନ୍ଙ୍କ କମ୍ପାନି ପରେ ଏହି ଦାବିକୁ ଖଣ୍ଡନ କରିଥିଲା ।
