
ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୬ ମସିହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକାର ସୂଚନା ଦେଇଛନ୍ତି ।
ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ । ଶୀତ ଅଧିକ ହେଲେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି । ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା ବୁଡ଼ି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ମୁଖ୍ୟତଃ ପର୍ଯ୍ୟଟକମାନେ ବାଟରେ ଆସିବା ସମୟରେ କୁମ୍ଭୀରମାନେ ନଦୀପଠାରୁ ନଦୀ ଭିତରକୁ ଚାଲି ଯାଇଥାନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ବନ୍ଦ କରାଯାଇ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନାକାରୀ ଦଳ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।
