
ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର। ପ୍ରତ୍ୟେକ ଦିନ ମନ୍ଦିରରୁ ଲୁଟ ହେଉଥିବାର ଖବର ସାମନାକୁ ଆସୁଥିବା ବେଳେ ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ସ୍ଥିତ ମାଆ ମଙ୍ଗଳାଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପାର ଅଳଙ୍କାର ସମେତ ହୁଣ୍ଡିରେ ଥିବା ୨୦ହଜାର ଟଙ୍କା ଲୁଟ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୬ରୁ ୭ଲକ୍ଷ ଟଙ୍କାର ସୁନା ଓ ରୁପାର ଅଳଙ୍କାର ଲୁଟ ହୋଇଥିବାର ଅନୁମାନ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ୨ଜଣ ଦୁର୍ବୃତ୍ତ ମୁହଁରେ କପଡା ଘୋଡାଇ ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିରର କବାଟକୁ କାଟି ସମସ୍ତ ଅଳଙ୍କାର ଲୁଟ କରିନେଇଛନ୍ତି। ଆଜି ସକାଳୁ ମନ୍ଦିରର ପୂଜକ ମନ୍ଦିରକୁ ଆସିବା ପରେ ସମସ୍ତ ଘଟଣା ଜଣାପଡିଥିଲା।
ମାଆଙ୍କର ସୁନାର କାନଫୁଲ, ମଙ୍ଗଳସୂତ୍ର,ନାକଚଣା,ହାର,ଆଖି ପତା, ଚିତା, ଆଖିର ଭୂଲତା ଓ ରୁପାର ୪ଟି ମୁକୁଟ,ଅଣ୍ଟା ସୂତା,କାନଫୁଲ,ହାର ଆଦି ଲୁଟ ହୋଇଛି। ତେବେ ଏନେଇ ଗ୍ରାମବାସୀଙ୍କ ତରଫରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସପ୍ତାହକ ମଧ୍ୟରେ କାମାକ୍ଷାନଗରରେ ଏହା ତୃତୀୟ ମନ୍ଦିର ଚୋରି ହୋଇଛି। ପୂର୍ବରୁ ମାଳପୂରା ରାମ ମନ୍ଦିର ଓ ଅନନ୍ତପୁରର ରାଧାକୃଷ୍ଣ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା। ବାରମ୍ବାର ମନ୍ଦିରରୁ ଚୋରି ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସହରରେ ପେୁଲିସ ପାଟ୍ରୋଲିଙ୍ଗ ହେଉନଥିବାରୁ ଦୁର୍ବୃତ୍ତମାନେ ଏଭଳି ଭାବରେ ଲୁଟ କରୁଥିବାର ଜଣାପଡିଛି।
