
ସମ୍ପ୍ରତି ସୁନା ଏବଂ ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଲକ୍ଷେ ୨୪ ହଜାର ଟଙ୍କା ଛୁଇଁଛି । ରୁପା ଲକ୍ଷେ ୭୦ ହଜାର ଟଙ୍କା । ଦିନକୁ ଦିନ ନୂଆ ସ୍ତର ଛୁଇଁଚାଲିଛି ଉଭୟ ଧାତୁ ଦର । ତେବେ ବିଶେଷଜ୍ଞଙ୍କ ସତର୍କବାଣୀ ଅନୁସାରେ, ଖୁବ୍ଶୀଘ୍ର ସୁନା ଏବଂ ରୁପା ଦର ବଡ଼ ଆକାରରେ ଖସିଯିବ । ଆଗାମୀ ମାସରେ ହୁଏତ ଦର ୫୦% ପର୍ଯ୍ୟନ୍ତ ଖସିପାରେ । ଅଧିକାଂଶ ବ୍ରୋକର ଏବଂ ବଜାର ବିଶେଷଜ୍ଞ ବୃଦ୍ଧି ଧାରା ଜାରି ରହିବ ବୋଲି ପ୍ରକାଶ କରିଥିବାବେଳେ ପେସ୍୩୬୦ର ସହ-ପ୍ରତିଷ୍ଠାତା ତଥା ଚିଫ୍ ଗ୍ଲୋବାଲ ଷ୍ଟ୍ରାଟେଜିଷ୍ଟ ଅମିତ ଗୋୟଲ କହିଛନ୍ତି ଯେ, ସୁନା ଏବଂ ରୁପା ଦର ବୃଦ୍ଧିରେ ବ୍ରେକ୍ ଲାଗିବ ଏବଂ ବଡ଼ ଆକାରରେ କ୍ରାସ ଦେଖିବାକୁ ମିଳିବ ।
ପ୍ରକାଶଯୋଗ୍ୟ, ୨.୪ ବିଲିୟନ ଡଲାରରୁ ଊଦ୍ଧ୍ୱର୍ ମୂଲ୍ୟର ଆସେଟ୍ ପରିଚାଳନା କରିଥାଏ ପେସ୍ ୩୬୦ । ଗୋୟଲ ସତର୍କ କରିଛନ୍ତି ଯେ, ଉଭୟ ମୂଲ୍ୟବାନ ଧାତୁ ଦଶନ୍ଧି ମଧ୍ୟରେ ସବୁଠାରୁ ବିପଜ୍ଜନକ ଶୀର୍ଷରେ ଅଛି ।
ସେ ଆହୁରି କହିଲେ, ଗତ ୪୦ ବର୍ଷରେ ଡଲାର ସୂଚକାଙ୍କ ଦୁର୍ବଳ ଥିବା ସମୟରେ କେବଳ ଦୁଇ ଥର ସୁନା ଏବଂ ରୁପା ଏଭଳି ପ୍ରଦର୍ଶନ କରିଛନ୍ତି । ଉଭୟ ସମୟରେ ସୁନା ଏବଂ ରୁପା ଦରରେ କ୍ରାସ୍ ଦେଖିବାକୁ ମିଳିଥିଲା । ଗୋୟଲଙ୍କ ଅନୁସାରେ, ସୁନା ଏବଂ ରୁପା ଏଭଳି ସ୍ତରରେ ପହଞ୍ଚିଛି, ଯାହା ସଂକେତ ଦେଉଛି ଯେ, ବଜାରର ‘ବୁଲ୍ ରନ୍’ ସମାପ୍ତ ହେବାକୁ ଯାଉଛି । କିଛି ଦିନ କିମ୍ବା ସପ୍ତାହରେ ଉଭୟ ଧାତୁ ଶୀର୍ଷ ସ୍ତରରେ ପହଞ୍ଚିଯିବ । ଏହାପରେ ଆରମ୍ଭ ହୋଇଯିବ ପତନ । ଗୋୟଲଙ୍କ ଅନୁମାନ, ସୁନା ଦରରେ ୩୦ରୁ୩୫% ହ୍ରାସ ଘଟିପାରେ । ୨୦୦୭-୦୮ ଏବଂ ୨୦୧୦-୧୧ ବେଳେ ଏଥିରେ ପାଖାପାଖି ୪୫% ହ୍ରାସ ଘଟିଥିଲା । ତେବେ ରୁପା ଆହୁରି ଅଧିକ ଖସିବ ବୋଲି ଗୋୟଲ ଅନୁମାନ କରିଛନ୍ତି ।
ସେ କହିଛନ୍ତି ଯେ, ରୁପା ୫୦% ପର୍ଯ୍ୟନ୍ତ ଶସ୍ତା ହୋଇପାରେ । ଅର୍ଥାତ୍ ୧୦ ଗ୍ରାମ ପିଛା ସୁନା ଦର ୭୭,୭୦୦ ଟଙ୍କାକୁ ଏବଂ ରୁପା ୭୭,୪୫୦ ଟଙ୍କାକୁ ଖସିଆସିପାରେ । ବଜାରରେ ପୁନଃ ପ୍ରବେଶ କରିବା ପାଇଁ ନିବେଶକ ଆଉନ୍ସ ପିଛା ସୁନା ୨,୬୦୦ରୁ୨୭୦୦ ଡଲାରକୁ ଖସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ବୋଲି ଗୋୟଲ ପରାମର୍ଶ ଦେଇଛନ୍ତି । ଉକ୍ତ ସ୍ତରରେ ସୁନା ପୁଣି ବିଶ୍ୱର ଅନ୍ୟତମ ସର୍ବୋତ୍ତମ ନିବେଶ ଆସେଟ୍ ପାଲଟିବ ବୋଲି ସେ କହିଛନ୍ତି ।
