
ସାରା ରାଜ୍ୟରେ ବୁଧବାର ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ (ଓଟିଇଟି) ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଛନ୍ତି । ପରୀକ୍ଷାରେ ଶିକ୍ଷକ ଚାକିରି କରିଥିବା ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି । ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ହୋଇଥିଲା । ଦ୍ୱିତୀୟ ସିଟିଂର ସମୟ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ଯାଏ ଅନୁଷ୍ଠିତ ହେବ ।
ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨,୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି । ଓଟିଇଟି ପେପର-୧ରେ ୪୭, ୭୨୦ ଜଣ ଓ ପେପର-୨ରେ ୧,୧୨,୬୫୯ ପରୀକ୍ଷାର୍ଥୀ ଅଛନ୍ତି । ମାଟ ୪୫୨ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି । ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ପରୀକ୍ଷା କରାଇବାକୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି ।

ବୋର୍ଡ ଅଫିସରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ଗତ ୧୪ ତାରିଖ ଠାରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମ୍ଆର ସିଟ ପଠାଯାଉଛି । ୩୦ଟି ଜିଲ୍ଲା ପାଇଁ ୪୦ଟି ରୁଟରେ ଆର୍ମଡ ପୁଲିସ ସହ ପ୍ରଶ୍ନପତ୍ର ପଠାଯାଉଛି । କୌଣସି ପ୍ରକାର ଅବ୍ୟବସ୍ଥାକୁ ଏଡ଼ାଇବାକୁ ବୋର୍ଡ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
