
ଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଭାରତୀୟ ନିର୍ବାଚନ ଆୟୋଗ (ECI) ଦେଶର ୧୦ଟି ରାଜ୍ୟରେ ଖାଲି ହେବାକୁ ଥିବା ୩୭ଟି ରାଜ୍ୟସଭା ଆସନ ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ଓଡ଼ିଶା ସମେତ ସମ୍ପୃକ୍ତ ୧୦ଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ତୁରନ୍ତ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ପ୍ରସ୍ତାବ ମାଗିଛନ୍ତି।
ଆସନ୍ତା ଏପ୍ରିଲ ମାସରେ ୧୦ଟି ରାଜ୍ୟର ମୋଟ ୩୭ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଥିମଧ୍ୟରେ ସର୍ବାଧିକ ମହାରାଷ୍ଟ୍ରରୁ ୭, ତାମିଲନାଡୁ ଓ ବିହାରରୁ ୬ଟି ଲେଖାଏଁ, ଏବଂ ପଶ୍ଚିମବଙ୍ଗରୁ ୫ଟି ଆସନ ରହିଛି। ସେହିପରି ଆସାମର ୩ଟି, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାରୁ ୨ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ଓଡ଼ିଶାରୁ ୪ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେଉଛି। ବିଦାୟୀ ସାଂସଦମାନେ ହେଲେ:
- ମୁନ୍ନା ଖାଁ
- ନିରଞ୍ଜନ ବିଶି
- ମମତା ମହନ୍ତ
- ସୁଜିତ୍ କୁମାର
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ରିଟର୍ଣ୍ଣିଂ ଅଫିସରଙ୍କ ନିଯୁକ୍ତି ପାଇଁ ପଠାଯିବାକୁ ଥିବା ପ୍ରସ୍ତାବରେ ଅଧିକାରୀଙ୍କ ନାମ ସହିତ ସେମାନଙ୍କ ଟେଲିଫୋନ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇମେଲ ଆଇଡି ପ୍ରଦାନ କରିବାକୁ କୁହାଯାଇଛି। ଓଡ଼ିଶାରେ ୪ଟି ଆସନ ପାଇଁ ରାଜନୈତିକ ସମୀକରଣ କ’ଣ ରହିବ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
