
ରାଜ୍ୟରେ ପ୍ରାୟ ୩୦ଲକ୍ଷ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଏହି ଗାଡ଼ିଗୁଡ଼ିକ ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ବର୍ଷବର୍ଷ ଧରି ଚାଲି ଆସୁଛନ୍ତି । ଏଥିରେ ସର୍ବାଧିକ ହେଉଛି ଦୁଇଚକିଆ ଯାନ । ରାଜ୍ୟରେ ଯେତିକି ଦୁଇଚକିଆ ଯାନ ରହିଛି ସେଥିରୁ ୯୦% ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଅନ୍ୟପକ୍ଷରେ ଏତେ ସଂଖ୍ୟକ ଗାଡ଼ିକୁ ପ୍ରଦୂଷଣ ସାର୍ଟିଫିକେଟ୍ ଦେବାଲାଗି ରାଜ୍ୟରେ ମାତ୍ର ୬୦୦ଟି ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ରହିଛି । ପୁଣି ଏଥିରୁ ଅନେକ କେନ୍ଦ୍ରରେ ଆଉ ଗାଡ଼ିର ପ୍ରଦୂଷଣ ଯାଞ୍ଚ୍ କରାଯାଉନଥିବା ଜଣାପଡ଼ିଛି । ଫଳରେ ଏତେ କମ୍ ସମୟ ମଧ୍ୟରେ ୩୦ ଲକ୍ଷ ଗାଡ଼ିକୁ କିପରି ସାର୍ଟିଫିକେଟ୍ ଦିଆଯିବ ତାହା ଏବେ ଚିନ୍ତାର ବିଷୟ ହୋଇଛି ।
ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ଗୋଟେ କୋଟି ପଞ୍ଜୀକୃତ ଯାନ ରହିଛି । ଏଥିରେ ଦୁଇଚକିଆ, ତିନିଚକିଆ, ଚାରିଚକିଆ ଏବଂ ବଡ଼ ଗାଡ଼ି ରହିଛି । ଅବଶ୍ୟ ଏଥିରୁ ପ୍ରାୟ ୨୫ ଲକ୍ଷ ଗାଡ଼ି ପୁରୁଣା ହୋଇଯିବାରୁ ସେସବୁ ଆଉ ରାସ୍ତାରେ ଗଡ଼ୁ ନାହାନ୍ତି । ତେଣୁ ରାସ୍ତାରେ ପ୍ରାୟ ୭୫ଲକ୍ଷ ଗାଡ଼ି ଗଡ଼ୁଛି । ଏଥିରୁ ଅଧିକ ଗାଡ଼ି ଦୁଇଚକିଆ ରହିଛି । ଦୁଇଚକିଆ ଯାନ କିଣାଯିବାର ବର୍ଷକ ପରେ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଆଉ ଥରେ କରାଯିବା କଥା । କିନ୍ତୁ ଦୁଇଚକିଆ ଯାନର କିଣାଯିବା ସମୟକୁ ଛାଡ଼ିଦେଲେ ଆଉ ପ୍ରାୟ କୌଣସି ଗାଡ଼ି ଚାଳକ ପ୍ରଦୂଷଣ ସାର୍ଟିଫିକେଟ୍ କରିନଥାନ୍ତି । ଫଳରେ ପ୍ରାୟ ୯୦% ଦୁଇ ଚକିଆ ଗାଡ଼ି ଚାଳକଙ୍କ ନିକଟରେ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଚାରିଚକିଆ ଗାଡ଼ି ଭିତରୁ ପ୍ରାୟ ୨୦% ଗାଡ଼ିର ମଧ୍ୟ ପ୍ରଦୂଷଣ ସାଟିଫିକେଟ୍ ନାହିଁ । କିନ୍ତୁ ବସ୍, ଟ୍ରକ୍ ଭଳି ବଡ଼ ଗାଡ଼ିଗୁଡ଼ିକର ପ୍ରାୟ ଏହି ସାର୍ଟିଫିକେଟ୍ ରହିଛି । ଏତେ ସଂଖ୍ୟକ ଗାଡ଼ି ଲାଗି ସମଗ୍ର ରାଜ୍ୟରେ ୬୦୦ଟି ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ରହିଛି । ଏଥିରୁ କିଛି ସ୍ଥାୟୀ କେନ୍ଦ୍ର ଥିଲାବେଳେ ଆଉ କିଛି ଭ୍ରାମ୍ୟମାଣ କରାଯାଇଛି । କିନ୍ତୁ ଏହି ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ଭିତରୁ ଅନେକ ବନ୍ଦ ହୋଇଗଲାଣି । ଯେତିକି ରହିଛି ସେତିକି କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଲାଗୁଛି । ୩୦ଲକ୍ଷ ଗାଡ଼ିକୁ ଯଦି ସାର୍ଟିଫିକେଟ୍ ପଦାନ କରାଯାଏ ଗୋଟେ/ ଦୁଇ ମାସ ମଧ୍ୟରେ ସବୁ ଗାଡ଼ିକୁ ଏହି ସାର୍ଟିଫିକେଟ୍ ମିଳିବା ସମ୍ଭବ ନୁହେଁ । କିନ୍ତୁ ପରିବହନ ବିଭାଗ ସଚେତନ ନକରି ଯେଉଁଭଳି ଭାବେ ଅଚାନକ ପ୍ରଦୂଷଣ ସାର୍ଟିଫିକେଟ୍ କଟକଣା ଲାଗୁ କରିଛି ସେ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
