
ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀ ଯୁବକଙ୍କୁ ଅପହରଣ ପରେ ହତ୍ୟା। ଜଙ୍ଗଲକୁ ନେଇ ଗଳା କାଟିଦେଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁର ରବି କଟମ ଓ ତିରୁପତି ସୋଡି ।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁରେ ୪୦ ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ଆସି ରବି କଟମ ଓ ତିରୁପତି ସୋଡିଙ୍କୁ ଉଠାଇ ନେଇଥିଲେ। ଜଙ୍ଗଲକୁ ନେଇ ସେମାନଙ୍କୁ ଗଳା କାଟି ହତ୍ୟା କରିଥିଲେ। ଆଜି ସକାଳେ ଗାଁ ଲୋକେ ଜଙ୍ଗଲକୁ ଯାଉଥିବା ବେଳେ ମୃତଦେହ ପଡିଥିବା ଦେଖିଥିଲେ। ତେବେ ମୃତଦେହ ନିକଟରେ ଏକ ପୋଷ୍ଟର ପଡିଛି। ପୁଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି। ଉସୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
