ଦେଶବ୍ୟାପୀ ଗାଡ଼ି ଫିଟ୍ନେସ୍ ଟେଷ୍ଟ୍ ଫି’ରେ ବଡ଼ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହାଫଳରେ ଯାନର ଫିଟ୍ନେସ୍ ଟେଷ୍ଟ୍ ଫି’ ପାଖାପାଖି ୧୦ ଗୁଣା ପର୍ଯ୍ୟନ୍ତ ବଢ଼ିଯାଇଛି । ୧୦ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ । ଏହାସହିତ ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରଖିବା ବ୍ୟୟବହୁଳ ପାଲଟିବ । ପ୍ରଦୁଷଣକାରୀ ଗାଡ଼ିଗୁଡ଼ିକୁ ସଡ଼କରୁ ହଟାଇବା ଏହାର ଲକ୍ଷ୍ୟ । ସରକାର ଏବେ ଗାଡ଼ିଗୁଡ଼ିକ ପାଇଁ ୩ଟି ଆୟୁ-ଆଧାରିତ ବର୍ଗ ଲାଗୁ କରିଛନ୍ତି । ଏହି ବର୍ଗ ୧୦ରୁ ୧୫ ବର୍ଷ, ୧୫ରୁ ୨୦ ବର୍ଷ ଏବଂ ୨୦ ବର୍ଷରୁ ଅଧିକ ରହିଛି । ଗାଡ଼ିର ଆୟୁ ବଢ଼ିବା ସହିତ ଫି’ ମଧ୍ୟ ବଢ଼ିଚାଲିବ । ସବୁ ପ୍ରକାର ଗାଡ଼ି ଉପରେ ଏ ନିୟମ ଲାଗୁ ହେବ, ଯେଉଁଥିରେ ଦୁଇଚକିଆ, ତିନିଚକିଆ, ଲାଇଟ୍ ମୋଟର ଭେଇକିଲ, ମଧ୍ୟମ ଏବଂ ଭାରୀ ସାମଗ୍ରୀ/ଯାତ୍ରୀ ବାହୀ ଯାନ ଇତ୍ୟାଦି ସାମିଲ । ଏସବୁ ବର୍ଗରେ ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଉପରେ ସବୁଠାରୁ ଅଧିକ ଫିଟ୍ନେସ୍ ଟେଷ୍ଟ୍ ଫି’ ଲାଗିବ । ନୂଆ ଫି’ କାରଣରୁ ୨୦ ବର୍ଷରୁ ଅଧିକ ପୁରୁଣା ଟ୍ରକ୍ ଏବଂ ବସ୍ ଉପରେ ଲାଗୁଥିବା ୩,୫୦୦ ଟଙ୍କାର ଫିଟ୍ନେସ୍ ଟେଷ୍ଟ ଫି’କୁ ଏବେ ୨୫,୦୦୦ ଟଙ୍କା କରି ଦିଆଯାଇଛି ।
ସେହିଭଳି ମିଡିୟମ କମର୍ସିଆଲ ଯାନ ଉପରେ ୧୮୦୦ ଟଙ୍କା ଫି’ ଥିଲା, ଯାହା ଏବେ ୨୦,୦୦୦ ଟଙ୍କା ହୋଇଛି । ହାଲୁକା ମୋଟର ଯାନ (୨୦ ବର୍ଷରୁ ଅଧିକ ପୁରୁଣା କାର)ର ଫି’ ଏବେ ୧୫,୦୦୦ ଟଙ୍କା, ତିନିଚକିଆ(୨୦ ବର୍ଷରୁ ଅଧିକ ପୁରୁଣା)ର ଫି’ ୭,୦୦୦ ଟଙ୍କା, ଦୁଇଚକିଆ(୨୦ ବର୍ଷରୁ ଅଧିକ ପୁରୁଣା)ର ଫି’ ୨,୦୦୦ ଟଙ୍କା ହୋଇଛି । କେବଳ ପୁରୁଣା ଯାନ ନୁହେଁ ୧୫ ବର୍ଷରୁ କମ୍ ଆୟୁଯୁକ୍ତ ଗାଡ଼ିଗୁଡ଼ିକର ଫିଟ୍ନେସ୍ ଫି’ ବଢ଼ିଛି ।
