
ବିହାରରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୦ ତାରିଖ ପାଟନାର ଗାନ୍ଧି ମୈଦାନରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଏନ୍ଡିଏ ନେତାମାନେ ଯୋଗଦେବେ । ଜେଡିୟୁର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ରବିବାର ନୂଆଦିଲ୍ଲୀରେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସରକାର ଗଠନ ଓ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଆଲୋଚନା କରିବା ପରେ ଏହି ଖବର ସାମ୍ନାକୁ ଆସିଛି ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ରବିବାର ଦୀର୍ଘ ସମୟ ଧରି ବୈଠକ ହୋଇଛି । ବୈଠକରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ବିହାର ମନ୍ତ୍ରିମଣ୍ଡଳ ଗଠନ ନେଇ ଆଲୋଚନା ହୋଇଥିଲା । ଅପରପକ୍ଷରେ ବିହାରରେ ବିଜେପି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ରବିବାର ରାଜ୍ୟର ଦଳୀୟ ନେତାମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ମନ୍ତ୍ରିମଣ୍ଡଳ ରୂପରେଖ ବାବଦରେ ସେ ମତ ସଂଗ୍ରହ କରିଥିବା କୁହାଯାଉଛି । ଜିତନ ରାମ ମାଁଝୀ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି ।
ବିଶେଷ ସୂତ୍ରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇ ନଥିଲେ ମଧ୍ୟ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିବେ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏଲ୍ଜେପି ମୁଖ୍ୟ ଚିରାଗ ପାୱାନ ସମର୍ଥନ କରିଛନ୍ତି । ତେଣୁ ଏନ୍ଡିଏ ବିଧାୟକ ଦଳ ବୈଠକରେ ସେ ହିଁ ନେତା ଭାବେ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା । କିନ୍ତୁ କ୍ୟାବିନେଟରେ ବିଜେପିର ଅଧିକ ଅର୍ଥାତ ୧୬ ଜଣ ମନ୍ତ୍ରୀ ରହିବେ । ଜେଡିୟୁର ମନ୍ତ୍ରୀ ସଂଖ୍ୟା ୧୪ ଭିତରେ ସୀମିତ ରହିବ । ନୂଆ କ୍ୟାବିନେଟରେ ଏଲ୍ଜେପିର ୩ ଜଣ ମନ୍ତ୍ରୀ ସାମିଲ ହେବେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏଲ୍ଜେପି ୧୯ଟି ଆସନ ହାସଲ କରିଛି । ୫ ଆସନ ଜିତିଥିବା ଜିତନ ରାମ ମାଁଝୀଙ୍କ ହାମ୍ ଏବଂ ୪ ଆସନ ଜିତିଥିବା ଉପେନ୍ଦ୍ର କୁଶୱାହଙ୍କ ଆରଏଲ୍ଏମ୍କୁ ଗୋଟିଏ ଲେଖାଏ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ । ବିଜେପି ଓ ଏଲ୍ଜେପିରୁ ଜଣେ ଲେଖାଏ ଉପମୁଖ୍ୟମନ୍ତ୍ରୀ ରହିବାର ସମ୍ଭାବନା ରହିଛି । ବିହାର କ୍ୟାବିନେଟରେ ସର୍ବାଧିକ ୩୬ ଜଣ ମନ୍ତ୍ରୀ ରହିବାର ପ୍ରାବଧାନ ଅଛି ।
କ୍ଷମତା ବଣ୍ଟନ ବୁଝାମଣା ଅନୁସାରେ ପ୍ରତି ୬ଜଣ ବିଧାୟକରେ ଜଣେ ମନ୍ତ୍ରୀ ହେବେ । ଟିକଟ ବଣ୍ଟନ ବେଳେ ମଧ୍ୟ ଏଭଳି ଏକ ଫର୍ମୁଲା ଗ୍ରହଣ କରାଯାଇଥିଲା । ପ୍ରତି ସାଂସଦ ହିସାବରେ ସହଯୋଗୀ ଦଳକୁ ୫-୬ଟି ଆସନ ଆବଣ୍ଟନ କରାଯାଇଥିଲା । ବିଧାନସଭା ନିର୍ବାଚନରେ ବିଜେପିକୁ ସର୍ବାଧିକ ୮୯ ଆସନ ମିଳିଥିଲା ବେଳେ ଜେଡିୟୁ ୮୫ ଆସନ ପାଇଛି । ସେହି ଅନୁସାରେ ଉଭୟ ଦଳ ଭିତରେ ମନ୍ତ୍ରୀ ପଦ ଆବଣ୍ଟନ କରାଯିବ । ନୂଆ ମନ୍ତ୍ରିମଣ୍ଡଳ ଗଠନରେ ବିଜେପି ରାଜସ୍ଥାନ ଓ ମଧ୍ୟପ୍ରଦେଶ ଫର୍ମୁଲା ଗ୍ରହଣ କରିପାରେ ବୋଲି କୁହାଯାଉଛି । ସେହି ଅନୁସାରେ ମନ୍ତ୍ରିମଣ୍ଡଳରୁ ବରିଷ୍ଠ ଓ ପୁରୁଣା ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ । ସେମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ସାମିଲ କରାଯିବ । ତେବେ ବିଜେପି କିମ୍ବା ଜେଡିୟୁ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ କିଛି କୁହାଯାଇନାହିଁ ।
ଅଷ୍ଟାଦଶ ବିଧାନସଭା ଗଠନ ନେଇ ରବିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କ୍ୟାବିନେଟ ବୈଠକ ଡାକିଛନ୍ତି । ବୈଠକରେ ବିଧାନସଭା ଭଙ୍ଗ ନେଇ ପ୍ରସ୍ତାବ ଗୃହୀତ ହେବ । ଏହା ପରେ ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ । ଏଥିସହିତ ସେ ନୂଆ ସରକାର ଗଠନ ଲାଗି ଦାବି ମଧ୍ୟ ଉପସ୍ଥାପନ କରିବେ । ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ଏନ୍ଡିଏର ସୁନାମି ଦେଖିବାକୁ ମିଳିଥିଲା।
ରାଜ୍ୟର ମୋଟ ୨୪୩ ଆସନରୁ ଏନ୍ଡିକୁ ତିନି-ଚତୁର୍ଥାଂଶରୁ ଅଧିକ ଅର୍ଥାତ ୨୦୨ ଆସନ ମିଳିଥିଲା ବେଳେ ମହାମେଣ୍ଟକୁ ୩୫ ଆସନ ମିଳିଥିଲା । ଏମ୍ଆଇଏମ୍କୁ ୫ ଏବଂ ବିଏସ୍ପିକୁ ଗୋଟିଏ ଆସନ ମିଳିଥିଲା । ଏଲ୍ଜେପି ମୁଖ୍ୟ ଚିରାଗଙ୍କ ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଗଠନ ହେବ । ଆଲୋଚନା ଜାରି ରହିଛି । ଦିନେ ଦୁଇଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ । ସେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ । ଆସନ୍ତାକାଲି ସକାଳେ ହୁଏତ ସରକାର ଗଠନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଯିବ ।

