
ୟୁପିର ବାରାବଙ୍କୀରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ନକଲି ଡାକ୍ତରଙ୍କ ଯୋଗୁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମାମଲା କୋଠୀ ଥାନା ଅଞ୍ଚଳର । ପୀଡ଼ିତ ଫତେ ବାହାଦୁର କହିଛନ୍ତି, ଚଳିତ ମାସ ୫ ତାରିଖ ଦ୍ୱିପ୍ରହରରେ ତାଙ୍କ ପତ୍ନୀ ମୁନିଶରା ରାୱତଙ୍କ ପେଟରେ ଯନ୍ତ୍ରଣା ହେଲା । ସେ ତାଙ୍କୁ କୋଠୀ ବଜାର ସ୍ଥିତ ଶ୍ରୀ ଦାମୋଦର ଔଷଧାଳୟ ହସ୍ପିଟାଲକୁ ନେଲେ । ଜ୍ଞାନ ପ୍ରକାଶ ମିଶ୍ରା ଓ ବିବେକ ମିଶ୍ରା ଏହାର ପରିଚାଳନା କରୁଛନ୍ତି । ଯାଞ୍ଚରୁ ଜ୍ଞାନ ପ୍ରକାଶ ମହିଳାଙ୍କର ଷ୍ଟୋନ୍ ହୋଇଥିବା କହି ଅପରେସନ୍ ଖର୍ଚ୍ଚ ୨୫ ହଜାର କହିଲେ ଏବଂ ୨୦ ହଜାରରେ ମାମଲା ଛିଣ୍ଡିଲା ।
ଫତେ ବାହାଦୁରଙ୍କ ଅଭିଯୋଗ ଅନୁସାରେ, ଟଙ୍କା ପୈଠ ହେବା ପରେ ଜ୍ଞାନ ପ୍ରକାଶ ମଦ ନିଶାରେ ୟୁଟ୍ୟୁବ୍ ଭିଡିଓ ଦେଖି ପତ୍ନୀଙ୍କ ଅପରେସନ୍ ଆରମ୍ଭ କଲେ । ଅତ୍ୟନ୍ତ ଅବହେଳାରେ ତାଙ୍କ ପେଟକୁ କାଟିଦେଲେ । ତାଙ୍କ ଛୋଟ ଅନ୍ତଃନଳୀ ଓ ଅନେକ ସ୍ନାୟୁ ମଧ୍ୟ କାଟିଦେଲେ । ଅପରେସନ୍ ପରେ ମହିଳା ରାତିସାରା ଯନ୍ତ୍ରଣାରେ ଛଟପଟ ହେଲେ । ପର ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା । ଏହା ପରେ ହସ୍ପିଟାଲ ସଂଚାଳକ ଜ୍ଞାନ ପ୍ରକାଶ ମିଶ୍ରା ଓ ତାଙ୍କ ପରିବାର ଫେରାର ହୋଇଗଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍ କଲା । ଶବର ପୋଷ୍ଟମର୍ଟମ୍ ମଧ୍ୟ କରାଗଲା । ଫତେ ବାହାଦୁରଙ୍କ ଅଭିଯୋଗ ଯେ ହସ୍ପିଟାଲ ସମ୍ପୂର୍ଣ୍ଣ ନକଲି ଏବଂ ଅଭିଯୁକ୍ତଙ୍କ ପାଖରେ କୌଣସି ପ୍ରକାର ମେଡିକାଲ ଡିଗ୍ରୀ ନାହିଁ । ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଏକ ଟିମ୍ ଗଠନ କରିଛି ।
