
ଆମେରିକା ୱାଶିଂଟନ୍ ଡିସିରେ ଗୁଳିକାଣ୍ଡ । ଯେଉଁଥିରେ ୟୁଏସ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର ଦୁଇ ଜଣ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁଳିମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଏନେଇ ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ସୂଚନା ଦେଇଛନ୍ତି ।
ବୁଧବାର ଦିନ ଏହି ଘଟଣା ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ବ୍ଲକ୍ ଦୂରରେ ଘଟିଥିଲା। ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଗୁଳିକାଣ୍ଡରେ ଦୁଇଜଣ ନ୍ୟାସନାଲ୍ ଗାର୍ଡ ସଦସ୍ୟ ଆହତ ହୋଇଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୨୯ ବର୍ଷୀୟ ଆଫଗାନିସ୍ତାନ ନାଗରିକ ରହମାନୁଲ୍ଲା ଲାକାନୱାଲ୍ ଭାବରେ ଚିହ୍ନଟ କରାଯାଇଛି, ଯିଏ ୨୦୨୧ ମସିହାରେ ଆମେରିକାରେ ପ୍ରବେଶ କରିଥିଲେ। ୱାଶିଂଟନ୍ ମେୟର ମୁରିଏଲ୍ ବାଉସର୍ ଏହି ଘଟଣାକୁ ନିନ୍ଦା କରି ଏହାକୁ ଏକ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି କହିଛନ୍ତି। ସେହିପରି ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ଏବଂ ମେୟର ମୁରିଏଲ୍ ବାଉସର୍ କହିଛନ୍ତି ଯେ, ଗାର୍ଡ ସଦସ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା ୩୦ ରେ ଘଟିଥିଲା।
ମେଟ୍ରୋପଲିଟାନ୍ ପୁଲିସ ବିଭାଗ ଅନୁଯାୟୀ, ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ଘଟିବା ପରେ ତୁରନ୍ତ ସେହି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଥିଲା। ନ୍ୟାସନାଲ ଗାର୍ଡ ସୈନିକମାନେ ପାଟ୍ରୋଲିଂରେ ଥିବା ସମୟରେ ଆକ୍ରମଣକାରୀ ଏକ କୋଣରେ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଗୁଳିକାଣ୍ଡ ପରେ, ଅନ୍ୟ ଗାର୍ଡ ସଦସ୍ୟମାନେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଘେରିଯାଇ ଗିରଫ କରିଥିଲେ। ତାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାର ନିନ୍ଦା କରି କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ବହୁତ ମୂଲ୍ୟ ଦେବାକୁ ପଡିବ।

