
ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ ହେଲମେଟ୍ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି । ତାହା ତାଙ୍କ ସ୍କୁଟି ଦାମ୍ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ନ୍ୟୁ ମଣ୍ଡି ଅଞ୍ଚଳରେ ହେଲମେଟ୍ ଯାଞ୍ଚ ସମୟରେ ଅନ୍ମୋଲ ସିଂଘଲଙ୍କୁ ଅଟକା ଯାଇଥିଲା । ସେ ହେଲ୍ମେଟ ପିନ୍ଧିନଥିଲେ । ତାଙ୍କ ନିକଟରେ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ମଧ୍ୟ ନଥିଲା । ଏହାପରେ ପୁଲିସ ତାଙ୍କ ସ୍କୁଟିକୁ ଜବତ କରିଥିଲା । ଏଥିସହ ଜରିମାନା ବାବଦରେ ୨୦ ଲକ୍ଷ ୭୪ ହଜାର ଟଙ୍କା ଦେବାକୁ ଚାଲାଣ କାଟିଥିଲା । ତେବେ ଏତେ ପରିମାଣର ଜରିମାନା ରାଶିକୁ ଦେଖି ସିଂଘଲ ଚକିତ ହୋଇ ସୋସିଆଲ୍ ମିଡିଆରେ ତାର ଫଟୋ ଉଠାଇ ସେୟାର କରିଥିଲେ । ଏହାପରେ ପୁଲିସର ପଦକ୍ଷେପକୁ ଅନେକ ସମାଲୋଚନା କରିଥିଲେ । ସେଥିଯୋଗୁ ବାଧ୍ୟହୋଇ ପରେ ଅଧିକାରୀମାନେ ତାଙ୍କ ଜରିମାନା ରାଶି କମାଇ ୪ ହଜାର ଟଙ୍କା କରିଛନ୍ତି ।
ମୁଜାଫରନଗର ଟ୍ରାଫିକ୍ ଏସ୍ପି କହିଛନ୍ତି, ଚାଲାଣ କାଟୁଥିବା ସବ୍ ଇନ୍ସପେକ୍ଟରଙ୍କ ଏକ ଭୁଲ୍ ଯୋଗୁ ଏଭଳି ହୋଇଛି । ହେଲମେଟ୍ ନଥିବାରୁ ମାମଲାରେ ମୋଟର ଯାନ ଅଧିନିୟମର ଧାରା ୨୦୭ ଲାଗୁ ହୋଇଥିଲା । କିନ୍ତୁ ସବ୍ ଇନ୍ସପେକ୍ଟର ୨୦୭ ପରେ ଏମ୍ଭି ଆକ୍ଟ ଲେଖିବାକୁ ଭୁଲି ଯାଇଥିଲେ । ଫଳରେ ୨୦୭ ଏବଂ ଏହି ଧାରା ଅନୁସାରେ ଲାଗୁ ହେଉଥିବା ସର୍ବନିମ୍ନ ଜରିମାନା ୪୦୦୦ ମିଶି ୨୦,୭୪,୦୦୦ ହୋଇଯାଇଥିଲା । ଏହି ତ୍ରୁଟି ଯୋଗୁ ଆମେ ଦୁଃଖିତ ।
