
ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶନିବାର ପ୍ରାୟ ସନ୍ଧ୍ୟା ୮ଟା ସମୟରେ ଏଭଳି ଅଘଟଣ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ମଣନ୍ଦା ରେଞ୍ଜ ତୁଳସୀବଣୀ ଫରେଷ୍ଟ ବିଟ୍ ରାଜପାଲ ଗାଁର ମଧୁବାରିର ପୁଅ ସାଙ୍ଗବାରିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ସୂଚନାନୁସାରେ, ଶିମିଳିପାଳ ପାଦ ତଳେ ଥିବା ରାଜପାଲ ଗ୍ରାମର ୫୫ ବର୍ଷୀୟ ସାଙ୍ଗବାରି ଘର ବାହାରକୁ ବାହାରି ଥିବାବେଳେ ହଠାତ୍ ପଛପଟୁ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏନେଇ ଜଙ୍ଗଲ ବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପୁଲିସ ସୂଚନା ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ସେଠାରେ ବ୍ୟବଚ୍ଛେଦ ନ ହେବାରୁ ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରାଇରଙ୍ଗପୁର ସ୍ଥାନାନ୍ତରିତ ହୋଇଥିଲା । ରବିବାବ ଶବ ବ୍ୟବଚ୍ଛେଦ ହେବ । ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ପରିବାରକୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଉକ୍ତ ଅଞ୍ଚଳ ଖୁଦ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଘର ପାଖ ଓ ନିଜ ନିର୍ବାଚନ ମଣ୍ଡଳୀ ଅଧୀନ ଅଛି ।

