ତାଳଚେର ପୌରାଞ୍ଚଳରେ ହାଣ୍ଡିଧୂଆ ପଛ ପାଖରେ ରହିଥିବା ଏକ ଜମି ଉପରେ ମାଟି ଧସିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଭୟଭିତ ହୋଇ ପଡ଼ିଥିବା ଜଣା ପଡ଼ିଛି। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଧୀରେଧୀରେ ମାଟି ଅତଡା ଅଧିକ ମାତ୍ରାରେ ଧସୁଥିବାରୁ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ହାଣ୍ଡିଧୂଆ ଅଞ୍ଚଳର କିଛି ଲୋକ ଶୌଚ ହେବାକୁ ଉକ୍ତ ଜମି ଆଡ଼କୁ ଯାଇଥିଲେ। କିନ୍ତୁ ହଠାତ ଏକ ଉଚ୍ଚ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଭୟଭିତ ହୋଇ ହାଣ୍ଡିଧୂଆ ଅଞ୍ଚଳକୁ ପଳାଇ ଯାଇ ଲୋକଙ୍କୁ ଜଣାଇଥିଲେ। ପରେ କିଛି େଲାକ ଆସିଦେଖିବା ପରେ ପାଖରେ ଏକ ଜମିରେ ୧୦ ଫୁଟ ଓସାରର ଏକ ବିରାଟ କାୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଘଟଣା ସ୍ଥଳରେ ତାଳଚେର ଭୁଗର୍ଭ କୋଇଲା ଖଣିର କର୍ତ୍ତୃପକ୍ଷ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦବିଥିବା ସ୍ଥାନରେ ବ୍ୟାରିକେଟ କରି ଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ତାଳଚେର ଆରଆଇ ଘଟଣା ସ୍ଥଳରେ ପହଞ୍ଚି ଜାଗା ଚିହ୍ନଟ କରିବା ସହ କ୍ଷତିପୂରଣ ପାଇଁ ଜମି ମାଲିକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏମ୍ସିଏଲ୍ ଭୂଗର୍ଭରୁ କୋଇଲା ନେବା ପରେ ମଧ୍ୟ ସଠିକ ଭାବେ ବାଲି ଭର୍ତ୍ତି କରିନଥିବାରୁ ଏଭଳି ପରିସ୍ଥିତ ବାରମ୍ବାର ଘଟୁଥିବାର ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ତେବେ ୨୦୨୦ ମସିହା ଜାନୁୟାରୀ ମାସ ୨୦ ତାରିଖରେ ଦେଉଳବେଡା ଗାଁ ତେଲି ସାହିର ଏକ ଜମିରେ ମାଟି ଦବିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧୦ ଫୁଟ ଚଉଡା ୫୦ ଫୁଟ ତଳକୁ ଏହି ମାଟି ଦବି ଥିବା ବେଳେ ଏହାକୁ ନେଇ ଲୋକେ ସେହି ସମୟରେ ଆତଙ୍କିତ ହୋଇ ପଡ଼ିଥିଲେ। ଖାଲି ସେତିକି ନୁହେଁ ସେହି ବର୍ଷ ଅକ୍ଟୋବର ମାସ ୨୩ ତାରିଖରେ ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଥିଲା। ଏହି ମାଟି ଦବିବା ଘଟଣା ନେଇ ଲୋକେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। ସେହିଭଳି ଗତ ୨୦୧୮ ମସିହାରେ ତାଳଚେର ଥାନା ସମ୍ମୁଖରେ ଗୋଟିଏ ଘର ଦବି ଯାଇଥିବାରୁ ସେହି ସମୟରେ ମଧ୍ୟ ତାଳଚେର ଟାଉନ ବାସୀ ଭୟଭିତ ହୋଇ ପଡ଼ିଥିଲେ। ପରେ ଏହାକୁ ନେଇ ତାଳଚେର ବାସୀ ଆନ୍ଦୋଳନ କରିବା ସହିତ ରାଜରାସ୍ତା ଅବରୋଧ କରିଥିଲେ।
