
ହାଏ ବ୍ରୋ…ହ୍ୱାଟ୍ସ.. ଅପ୍…ଡାକରୁ ଆରମ୍ଭ ହେଉଛି କଥାବର୍ତ୍ତା । କିଏ ପୁଣି ବେଷ୍ଟି ଡାକୁଛନ୍ତି ତ କିଏ ଡୁଡ୍ । ଏହିଭଳି ଭାବେ ଆଧୁନିକ ଯୁବପିଢ଼ି ନିଜ ପ୍ରିୟ ତଥା ବନ୍ଧୁମାନଙ୍କୁ ଡାକୁଛନ୍ତି । ଆଉ ଏହି ଆଧୁନିକ ନାମକରଣ ଭିତରେ ଲୁଚିଯାଇଛି ମକର ଓ ବଉଳ ଡାକ । ଏକ ପ୍ରକାର ହଜିବାକୁ ବସିଲାଣି କହିଲେ ଭୁଲ୍ ହେବ ନାହିଁ । କାଁ ଭାଁ ଗାଁଗହଳିରେ ଯଦି କେହି ଡାକୁଥିବେ ନହେଲେ ନାହିଁ । ମକର, ବଉଳ, ସଙ୍ଗାତ, ମିତ ବସି ପରସ୍ପରକୁ ଡାକିବା ତ ଦୂରର କଥା ଆମ ଓଡ଼ିଆ ପରମ୍ପରାରେ ବନ୍ଧୁତ୍ୱର ଏଭଳି ନିଦର୍ଶନ ଥାଏ ବୋଲି ମଧ୍ୟ ବିଶେଷ କେହି ଜାଣନ୍ତି ନାହିଁ ।
ଆମ ସଂସ୍କୃତି ଓ ପରମ୍ପରାରେ ଅନ୍ୟକୁ ଆପଣାର କରିବାର ଅନେକ ରୂପ ରହିଛି । ସେଥିରୁ ନିବିଡ଼ ବନ୍ଧୁତା ବାନ୍ଧିବାର ଆଉ ଏକ ରୂପ ହେଉଛି ମକର ବସିବା । ଆଗରୁ ମକର ସଂକ୍ରାନ୍ତି ଆସିଲେ ସ୍ୱତନ୍ତ୍ର ଢଙ୍ଗରେ ଦୁଇ ବନ୍ଧୁ ମକର ବସୁଥିଲେ । ମକର ସଂକ୍ରାନ୍ତି ଦିନ ମକର ଚାଉଳକୁ ପରସ୍ପରକୁ ଖୁଆଇ ଝିଅ- ବୋହୂମାନେ ମକର ବସନ୍ତି । ଅଉ ଏ ସମ୍ପର୍କର ସାକ୍ଷୀ ହୋଇଥାଏ ମକର ଚାଉଳ । ଭଗବାନଙ୍କର ଏହି ପ୍ରସାଦକୁ ସାକ୍ଷୀ ରଖି ସବୁ ବର୍ଗର ମହିଳାମାନେ ମକର ବସନ୍ତି । କେବଳ ସାଙ୍ଗମାନେ କାହିଁକି ଅନେକ ସମୟରେ ଅଧିକ ବୟସର ମହିଳା ଅର୍ଥାତ୍ ଆଈ, ପିଉସୀ ମଧ୍ୟ ସେମାନଙ୍କ ନାତୁଣୀ କି ଝିଆରୀଙ୍କ ସହିତ ମକର ବି ବସିଥାନ୍ତି । କେତେକ ସ୍ଥାନରେ ପୁଅମାନେ ବି ମକର ବସିଥାନ୍ତି । ତା’ ପରଠୁ ଦୁଇ ସାଙ୍ଗ ପରସ୍ପରର ନାଁ ଧରି ଡାକିବା ବଦଳରେ ମକର ଡାକନ୍ତି । ହେଲେ ବର୍ତ୍ତମାନ ଏହା ପୁରୁଣାକାଳିଆ ଚିନ୍ତାଧାରା ହୋଇଯାଇଛି।
