Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ୱାବଲମ୍ବୀ ହୋଇପାରୁନି ଓଡ଼ିଶା, ୨ ମାସ ଖାଇବାକୁ ମିଳିବନି

Posted on October 17, 2025

ନାନାବିଧ  ଯୋଜନା ସତ୍ତେ୍ୱ କୁକୁଡ଼ା ଅଣ୍ଡାରେ ଓଡ଼ିଶା  ଏଯାବତ୍‌ ସ୍ୱାବଲମ୍ବୀ ହୋଇପାରିଲା ନାହିଁ ।  ଆମ ହାଣ୍ଡିଶାଳର ମୁଖ୍ୟ ପରିବା ଆଳୁ,  ପିଆଜ ଭଳି ଅଣ୍ଡାର ଚାହିଦା ମେଣ୍ଟାଇବା  ପାଇଁ ଓଡ଼ିଶାକୁ ଏଯାଏ ଅନ୍ୟ ରାଜ୍ୟ ଉପରେ  ନିର୍ଭର କରିବାକୁ ପଡ଼ୁଛି । ସ୍ଥିତି ଏମିତି ଯେ,  ଯଦି ପଡ଼ୋଶୀ ରାଜ୍ୟରୁ ଅଣ୍ଡା ଯୋଗାଣ ବନ୍ଦ ହୋଇଯାଏ ତାହେଲେ ପ୍ରାୟ ୨ ମାସ ପର୍ଯ୍ୟନ୍ତ  ଓଡ଼ିଶାରେ ଅଣ୍ଡା ଖାଇବାକୁ ମିଳିବନି ।  ଅନ୍ୟପଟେ ଆମ ରାଜ୍ୟରେ ଉତ୍ପାଦିତ  ଅଣ୍ଡାର ମାନ ଏହାକୁ ଦେଶ ତଥା ଦେଶ ବାହାରେ ମଧ୍ୟ ଲୋକପ୍ରିୟ କରିପାରିଛି ।  ଫଳରେ ଓଡ଼ିଶାର ଅଣ୍ଡା ଏବେ ପଶ୍ଚିମବଙ୍ଗ,  ବିହାର, ଜମ୍ମୁକାଶ୍ମୀର ଓ ଝାଡ଼ଖଣ୍ଡ ସହିତ  ଓମାନ୍‌, ସାଉଦିଆରବ ଭଳି ଦେଶରେ ପହଞ୍ଚୁଛି ।  

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ,  ପ୍ରତି ବ୍ୟକ୍ତିଙ୍କ ପାଇଁ ବର୍ଷକୁ ୧୮୦ରୁ ୧୮୩ଟି  ଅଣ୍ଡା ଦରକାର । ସେ ହିସାବ ଅନୁସାରେ  ଓଡ଼ିଶାର ଲୋକସଂଖ୍ୟା ଦେଖିଲେ ଆମ ରାଜ୍ୟକୁ ପ୍ରତିବର୍ଷ ୫୦୩ କୋଟି ୭୦ ଲକ୍ଷ  ବା ପ୍ରାୟ ୫୦୪ କୋଟି ଅଣ୍ଡା ଆବଶ୍ୟକ ।  ମାତ୍ର ରାଜ୍ୟରେ ଥିବା ୧୨୫୦ଟି ବଡ଼ ଓ  ଆଉ କିଛି ଛୋଟ ଧରଣର ଅଣ୍ଡା ଉତ୍ପାଦନ ଫାର୍ମରେ ବର୍ଷକୁ ପ୍ରାୟ ୪୨୫ରୁ ୪୨୮ କୋଟି  ଅଣ୍ଡା ଉତ୍ପାଦନ ହୋଇପାରୁଛି । ଫଳରେ  ରାଜ୍ୟବାସୀଙ୍କ ପାଇଁ ପ୍ରାୟ ୭୬/୭୭ କୋଟି  ଅଣ୍ଡା ନିଅଣ୍ଟ ପଡ଼ୁଛି । ଏଥିପାଇଁ ଆନ୍ଧ୍ରପ୍ରଦେଶ  ଓ ତେଲଙ୍ଗାନା ଉପରେ ନିର୍ଭର କରିବାକୁ  ପଡ଼ୁଛି । କଟକ ସ୍ଥିତ ମତ୍ସ୍ୟ ଓ ପଶୁସମ୍ପଦ  ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ,  ପ୍ରତିଦିନ ରାଜ୍ୟକୁ ୧୦ରୁ ୧୫ଟି ଟ୍ରକ୍‌ରେ  ୩୦ରୁ ୩୭ ଲକ୍ଷ ଅଣ୍ଡା ଆସୁଛି । ଅର୍ଥାତ୍‌  ବର୍ଷକୁ ୯୦ କୋଟିରୁ ୧୧୦ କୋଟି ପର୍ଯ୍ୟନ୍ତ  ଅଣ୍ଡା ରାଜ୍ୟକୁ ଆମଦାନୀ କରାଯାଉଛି ।  ଯଦି ଏହି ଅଣ୍ଡା ରାଜ୍ୟ ବାହାରୁ ଆମଦାନୀ  ନହୁଅନ୍ତା ତାହେଲେ ଏହାର ପ୍ରଭାବ  ମୁଖ୍ୟତଃ ସ୍କୁଲ୍‌ରେ ଚାଲିଥିବା ମଧ୍ୟାହ୍ନ  ଭୋଜନ ଉପରେ ପଡ଼ନ୍ତା ।  

ଅନ୍ୟପକ୍ଷରେ ରାଜ୍ୟରେ ଉତ୍ପାଦିତ  ଅଣ୍ଡାର ମାନ ଭଲ ଥିବାରୁ ଅନ୍ୟ ରାଜ୍ୟ ଓ  କିଛି ଦେଶ ମଧ୍ୟ ଓଡ଼ିଶାରୁ ଅଣ୍ଡା ନେଉଛନ୍ତି ।  ମତ୍ସ୍ୟ ଓ ପଶୁସମ୍ପଦ ନିର୍ଦ୍ଦେଶାଳୟରୁ  ମିଳିଥିବା ତଥ୍ୟ ମୁତାବକ, ପଶ୍ଚିମବଙ୍ଗ,  ବିହାର ଓ ଝାଡ଼ଖଣ୍ଡ ଆମ ରାଜ୍ୟରୁ ଅଣ୍ଡା  ନେଉଛନ୍ତି । ପ୍ରାୟ ୭ରୁ ୮ଟ୍ରକ୍‌ ଅଣ୍ଡା  ସୀମାବର୍ତ୍ତୀ ଜିଲ୍ଲାରେ ଥିବା ଉତ୍ପାଦନ କେନ୍ଦ୍ରରୁ  ଯାଉଛି । ସେହିପରି ବର୍ଷକୁ ପ୍ରାୟ ୧୮ରୁ ୧୯  କୋଟି ଅଣ୍ଡା ଓମାନ୍‌ ଓ ସାଉଦିଆରବକୁ  ମଧ୍ୟ ରପ୍ତାନୀ କରାଯାଉଛି । ଏହାଦ୍ୱାରା  ଚାଷୀ ଭଲ ରୋଜଗାର କରିପାରୁଛନ୍ତି ।  ଏମିତି ନୁହେଁ ଯେ, ରାଜ୍ୟ ସରକାର ଏହି  ନିଅଣ୍ଟିଆ ସ୍ଥିତିକୁ ମୁକାବିଲା କରିବା ପାଇଁ  ଉଦ୍ୟମ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ କୃଷି  ଉଦ୍ୟୋଗ ଯୋଜନାରେ ଏକାଧିକ ଯୋଜନା  ଲାଗୁ କରାଯାଇଛି। ଛୋଟରୁ ବଡ଼ ଚାଷୀଙ୍କ  ପାଇଁ ଲକ୍ଷାଧିକ, ଏପରିକି କୋଟି କୋଟି  ଟଙ୍କାର ସବ୍‌ସିଡି ଦିଆଯାଉଛି । ତଥାପି  ଅଣ୍ଡା ଉତ୍ପାଦନ ବଢ଼ିପାରୁନି । ତେବେ  ଅତ୍ୟାଧୁନିକ ଢଙ୍ଗରେ ବିଭିନ୍ନ ଯନ୍ତ୍ରାଂଶ ଓ  କମ୍ପ୍ୟୁଟରୀକରଣ କରି ବଡ଼ ଫାର୍ମ କରିବା  ଓ ଅଣ୍ଡାର ଉତ୍ପାଦନ କ୍ଷମତା ବଢ଼ାଇବା  ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଉଦ୍ୟମ  କରୁଥିଲେ ମଧ୍ୟ ଏଥିରେ ଏମ୍‌ଏସ୍‌ଏମ୍‌ଇ  ବିଭାଗର ସହଯୋଗ ମିଳିପାରୁ ନଥିବାରୁ  ଉତ୍ପାଦନ ବଢ଼ି ପାରୁନଥିବା କୁହାଯାଉଛି ।  

କୁକୁଡ଼ା ଅଣ୍ଡା ଉପରେ ଯେ କେବଳ  ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ  ତାହା ନୁହେଁ, କୁକୁଡ଼ା ମାଂସ ପାଇଁ ମଧ୍ୟ  ଆମେ ପଡ଼ୋଶୀ ରାଜ୍ୟଙ୍କ ହାତକୁ ଚାହିଁ  ବସିଛୁ । ରାଜ୍ୟରେ ବର୍ଷକୁ ମୁଣ୍ଡ ପିଛା କୁକୁଡ଼ା  ମାଂସର ଚାହିଦା ୧୧ କେଜି ଅର୍ଥାତ୍‌ ରାଜ୍ୟ  ପାଇଁ ବର୍ଷକୁ ପ୍ରାୟ ୫୦ କୋଟି କେଜି  କୁକୁଡ଼ା ମାଂସର ଆବଶ୍ୟକ ଥିବା ବେଳେ  ତାହା ରାଜ୍ୟ ପୂରଣ କରିପାରୁନି । ଫଳରେ  ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତେଲଙ୍ଗାନା  ରାଜ୍ୟରୁ ପ୍ରତିଦିନ ୧ଲକ୍ଷ ୩୬ ହଜାର କେଜି  କୁକୁଡ଼ା ମାଂସ ଜିଅନ୍ତା କୁକୁଡ଼ା ଆକାରରେ  ଆମଦାନୀ କରାଯାଉଛି, ଯାହା ୬ରୁ ୮ଟି  ଟ୍ରକ୍‌ରେ ଆସୁଛି । ଯଦିଓ ଏହା ଚାହିଦା  ଅନୁସାରେ ଅତି ନଗଣ୍ୟ ତଥାପି କୁକୁଡ଼ା  ମାଂସରେ ମଧ୍ୟ ପଡ଼ୋଶୀଙ୍କ ଉପରେ ନିର୍ଭର  କରିବା ବିଷୟ ଆମ ରାଜ୍ୟର କୁକୁଡ଼ା ଚାଷର  ଦୟନୀୟ ସ୍ଥିତିକୁ ଦର୍ଶାଉଛି । ଏଣୁ ଉଭୟ  ଅଣ୍ଡା ଓ ମାଂସ ଉତ୍ପାଦନ ଦିଗରେ ଅଧିକ  ଫଳପ୍ରଦ ଯୋଜନା ପ୍ରଣୟନ ଆବଶ୍ୟକ  ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme