
ନାନାବିଧ ଯୋଜନା ସତ୍ତେ୍ୱ କୁକୁଡ଼ା ଅଣ୍ଡାରେ ଓଡ଼ିଶା ଏଯାବତ୍ ସ୍ୱାବଲମ୍ବୀ ହୋଇପାରିଲା ନାହିଁ । ଆମ ହାଣ୍ଡିଶାଳର ମୁଖ୍ୟ ପରିବା ଆଳୁ, ପିଆଜ ଭଳି ଅଣ୍ଡାର ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶାକୁ ଏଯାଏ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ସ୍ଥିତି ଏମିତି ଯେ, ଯଦି ପଡ଼ୋଶୀ ରାଜ୍ୟରୁ ଅଣ୍ଡା ଯୋଗାଣ ବନ୍ଦ ହୋଇଯାଏ ତାହେଲେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଅଣ୍ଡା ଖାଇବାକୁ ମିଳିବନି । ଅନ୍ୟପଟେ ଆମ ରାଜ୍ୟରେ ଉତ୍ପାଦିତ ଅଣ୍ଡାର ମାନ ଏହାକୁ ଦେଶ ତଥା ଦେଶ ବାହାରେ ମଧ୍ୟ ଲୋକପ୍ରିୟ କରିପାରିଛି । ଫଳରେ ଓଡ଼ିଶାର ଅଣ୍ଡା ଏବେ ପଶ୍ଚିମବଙ୍ଗ, ବିହାର, ଜମ୍ମୁକାଶ୍ମୀର ଓ ଝାଡ଼ଖଣ୍ଡ ସହିତ ଓମାନ୍, ସାଉଦିଆରବ ଭଳି ଦେଶରେ ପହଞ୍ଚୁଛି ।
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ପ୍ରତି ବ୍ୟକ୍ତିଙ୍କ ପାଇଁ ବର୍ଷକୁ ୧୮୦ରୁ ୧୮୩ଟି ଅଣ୍ଡା ଦରକାର । ସେ ହିସାବ ଅନୁସାରେ ଓଡ଼ିଶାର ଲୋକସଂଖ୍ୟା ଦେଖିଲେ ଆମ ରାଜ୍ୟକୁ ପ୍ରତିବର୍ଷ ୫୦୩ କୋଟି ୭୦ ଲକ୍ଷ ବା ପ୍ରାୟ ୫୦୪ କୋଟି ଅଣ୍ଡା ଆବଶ୍ୟକ । ମାତ୍ର ରାଜ୍ୟରେ ଥିବା ୧୨୫୦ଟି ବଡ଼ ଓ ଆଉ କିଛି ଛୋଟ ଧରଣର ଅଣ୍ଡା ଉତ୍ପାଦନ ଫାର୍ମରେ ବର୍ଷକୁ ପ୍ରାୟ ୪୨୫ରୁ ୪୨୮ କୋଟି ଅଣ୍ଡା ଉତ୍ପାଦନ ହୋଇପାରୁଛି । ଫଳରେ ରାଜ୍ୟବାସୀଙ୍କ ପାଇଁ ପ୍ରାୟ ୭୬/୭୭ କୋଟି ଅଣ୍ଡା ନିଅଣ୍ଟ ପଡ଼ୁଛି । ଏଥିପାଇଁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଉପରେ ନିର୍ଭର କରିବାକୁ ପଡ଼ୁଛି । କଟକ ସ୍ଥିତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରତିଦିନ ରାଜ୍ୟକୁ ୧୦ରୁ ୧୫ଟି ଟ୍ରକ୍ରେ ୩୦ରୁ ୩୭ ଲକ୍ଷ ଅଣ୍ଡା ଆସୁଛି । ଅର୍ଥାତ୍ ବର୍ଷକୁ ୯୦ କୋଟିରୁ ୧୧୦ କୋଟି ପର୍ଯ୍ୟନ୍ତ ଅଣ୍ଡା ରାଜ୍ୟକୁ ଆମଦାନୀ କରାଯାଉଛି । ଯଦି ଏହି ଅଣ୍ଡା ରାଜ୍ୟ ବାହାରୁ ଆମଦାନୀ ନହୁଅନ୍ତା ତାହେଲେ ଏହାର ପ୍ରଭାବ ମୁଖ୍ୟତଃ ସ୍କୁଲ୍ରେ ଚାଲିଥିବା ମଧ୍ୟାହ୍ନ ଭୋଜନ ଉପରେ ପଡ଼ନ୍ତା ।
ଅନ୍ୟପକ୍ଷରେ ରାଜ୍ୟରେ ଉତ୍ପାଦିତ ଅଣ୍ଡାର ମାନ ଭଲ ଥିବାରୁ ଅନ୍ୟ ରାଜ୍ୟ ଓ କିଛି ଦେଶ ମଧ୍ୟ ଓଡ଼ିଶାରୁ ଅଣ୍ଡା ନେଉଛନ୍ତି । ମତ୍ସ୍ୟ ଓ ପଶୁସମ୍ପଦ ନିର୍ଦ୍ଦେଶାଳୟରୁ ମିଳିଥିବା ତଥ୍ୟ ମୁତାବକ, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଆମ ରାଜ୍ୟରୁ ଅଣ୍ଡା ନେଉଛନ୍ତି । ପ୍ରାୟ ୭ରୁ ୮ଟ୍ରକ୍ ଅଣ୍ଡା ସୀମାବର୍ତ୍ତୀ ଜିଲ୍ଲାରେ ଥିବା ଉତ୍ପାଦନ କେନ୍ଦ୍ରରୁ ଯାଉଛି । ସେହିପରି ବର୍ଷକୁ ପ୍ରାୟ ୧୮ରୁ ୧୯ କୋଟି ଅଣ୍ଡା ଓମାନ୍ ଓ ସାଉଦିଆରବକୁ ମଧ୍ୟ ରପ୍ତାନୀ କରାଯାଉଛି । ଏହାଦ୍ୱାରା ଚାଷୀ ଭଲ ରୋଜଗାର କରିପାରୁଛନ୍ତି । ଏମିତି ନୁହେଁ ଯେ, ରାଜ୍ୟ ସରକାର ଏହି ନିଅଣ୍ଟିଆ ସ୍ଥିତିକୁ ମୁକାବିଲା କରିବା ପାଇଁ ଉଦ୍ୟମ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକାଧିକ ଯୋଜନା ଲାଗୁ କରାଯାଇଛି। ଛୋଟରୁ ବଡ଼ ଚାଷୀଙ୍କ ପାଇଁ ଲକ୍ଷାଧିକ, ଏପରିକି କୋଟି କୋଟି ଟଙ୍କାର ସବ୍ସିଡି ଦିଆଯାଉଛି । ତଥାପି ଅଣ୍ଡା ଉତ୍ପାଦନ ବଢ଼ିପାରୁନି । ତେବେ ଅତ୍ୟାଧୁନିକ ଢଙ୍ଗରେ ବିଭିନ୍ନ ଯନ୍ତ୍ରାଂଶ ଓ କମ୍ପ୍ୟୁଟରୀକରଣ କରି ବଡ଼ ଫାର୍ମ କରିବା ଓ ଅଣ୍ଡାର ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ଏଥିରେ ଏମ୍ଏସ୍ଏମ୍ଇ ବିଭାଗର ସହଯୋଗ ମିଳିପାରୁ ନଥିବାରୁ ଉତ୍ପାଦନ ବଢ଼ି ପାରୁନଥିବା କୁହାଯାଉଛି ।
କୁକୁଡ଼ା ଅଣ୍ଡା ଉପରେ ଯେ କେବଳ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ତାହା ନୁହେଁ, କୁକୁଡ଼ା ମାଂସ ପାଇଁ ମଧ୍ୟ ଆମେ ପଡ଼ୋଶୀ ରାଜ୍ୟଙ୍କ ହାତକୁ ଚାହିଁ ବସିଛୁ । ରାଜ୍ୟରେ ବର୍ଷକୁ ମୁଣ୍ଡ ପିଛା କୁକୁଡ଼ା ମାଂସର ଚାହିଦା ୧୧ କେଜି ଅର୍ଥାତ୍ ରାଜ୍ୟ ପାଇଁ ବର୍ଷକୁ ପ୍ରାୟ ୫୦ କୋଟି କେଜି କୁକୁଡ଼ା ମାଂସର ଆବଶ୍ୟକ ଥିବା ବେଳେ ତାହା ରାଜ୍ୟ ପୂରଣ କରିପାରୁନି । ଫଳରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତେଲଙ୍ଗାନା ରାଜ୍ୟରୁ ପ୍ରତିଦିନ ୧ଲକ୍ଷ ୩୬ ହଜାର କେଜି କୁକୁଡ଼ା ମାଂସ ଜିଅନ୍ତା କୁକୁଡ଼ା ଆକାରରେ ଆମଦାନୀ କରାଯାଉଛି, ଯାହା ୬ରୁ ୮ଟି ଟ୍ରକ୍ରେ ଆସୁଛି । ଯଦିଓ ଏହା ଚାହିଦା ଅନୁସାରେ ଅତି ନଗଣ୍ୟ ତଥାପି କୁକୁଡ଼ା ମାଂସରେ ମଧ୍ୟ ପଡ଼ୋଶୀଙ୍କ ଉପରେ ନିର୍ଭର କରିବା ବିଷୟ ଆମ ରାଜ୍ୟର କୁକୁଡ଼ା ଚାଷର ଦୟନୀୟ ସ୍ଥିତିକୁ ଦର୍ଶାଉଛି । ଏଣୁ ଉଭୟ ଅଣ୍ଡା ଓ ମାଂସ ଉତ୍ପାଦନ ଦିଗରେ ଅଧିକ ଫଳପ୍ରଦ ଯୋଜନା ପ୍ରଣୟନ ଆବଶ୍ୟକ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

