
ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ସ୍ପାମ୍ ଏବଂ ଠକେଇ ପାଇଁ ଉଦ୍ଦିଷ୍ଟ ଟେଲିକମ କଲ୍ ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏ ଦିଗରେ ଗତ ବର୍ଷକରେ ୨୧ ଲକ୍ଷ ଜାଲ୍ ନମ୍ବର ବ୍ଲକ କରାଯାଇଛି । ୧ ଲକ୍ଷ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଥିବା ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ମିଳିଛି । ଲୋକଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ଟେଲିକମ ସେବାର ଅପବ୍ୟବହାର ରୋକିବା ଦିଗରେ ଲୋକମାନେ ଅଧିକ ସଂଖ୍ୟାରେ ଟ୍ରାଇ ଡିଏନ୍ଡି ଆପ୍ରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି ନିୟାମକ ।
ଟ୍ରାଇ କହିଛି, ଅନେକ ୟୁଜର ଭାବୁଛନ୍ତି ଟେଲିଫୋନରେ କୌଣସି ନମ୍ବରକୁ ବ୍ଲକ କରିଦେବା ହିଁ ସର୍ବଶ୍ରେଷ୍ଠ କାମ । ଏଭଳି ବ୍ଲକ ଦ୍ୱାରା ନିର୍ଦ୍ଧିଷ୍ଟ ଡିଭାଇସରେ ନମ୍ବର ଦେଖାଯାଇ ନ ଥାଏ । ମାତ୍ର ସାଇବର ଅପରାଧୀମାନେ ଅନ୍ୟ ଲୋକଙ୍କୁ ସହଜରେ ଟାର୍ଗେଟ କରିପାରିବେ । ସ୍ପାମ୍ କଲ୍ ଏବଂ ଏସ୍ଏମ୍ଏସ ରିପୋର୍ଟ କରାଗଲେ ଟେଲିକମ ସେବା ଯୋଗାଣକାରୀ ଫ୍ରଡରେ ଲିପ୍ତ ଥିବା କୌଣସି ନମ୍ବରକୁ ସ୍ଥାୟୀ ଭାବେ ବାତିଲ କରିବା ସହଜ ହୋଇଥାଏ । ଗତ ବର୍ଷ ବୃହତ ସଂଖ୍ୟାରେ ଲୋକମାନେ ଡିଏନ୍ଡି ଆପ୍ରେ ରିପୋର୍ଟ କରିବା ଯୋଗୁ ବ୍ୟାପକ ଭାବେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଟ୍ରାଇ । ଟେଲିକମ୍ ଇକୋସିଷ୍ଟମକୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ କରିବାକୁ ହେଲେ ଅଂଶୀଦାରଙ୍କ ସହଯୋଗ ଲୋଡ଼ା ରହିଛି । ଏଭଳି ସ୍ଥିତିରେ ଟ୍ରାଇ ଡିଏନ୍ଡି ଆପ୍କୁ ବହୁଳ ଭାବେ ଡାଉନ୍ଲୋଡ କରିବା ଏବଂ କୌଣସି ନମ୍ବରକୁ କେବଳ ବ୍ଲକ ନ କରି ଏହାକୁ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି ।
ମୋବାଇଲ କଲ୍, ମେସେଜ ଏବଂ ସୋସିଆଲ ମିଡିଆରେ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ ସମ୍ପର୍କିତ ତଥ୍ୟ ସେୟାର ନ କରିବାକୁ ପରାମର୍ଶ ଦେଇଛି ଟ୍ରାଇ । ସେହିଭଳି ସନ୍ଦେହଜନକ କଲ୍ ପାଇଲେ ଏହାକୁ ତ୍ୱରିତ ଭାବେ କାଟିଦେବା ଲାଗି ମଧ୍ୟ ପରାମର୍ଶରେ କୁହାଯାଇଛି । ସାଇବର ଅପରାଧ କ୍ଷେତ୍ରରେ ଜାତୀୟ ହେଲ୍ପଲାଇନ ୧୯୩୦ରେ ରିପୋର୍ଟ କରାଯାଇପାରିବ ।
ସେହିଭଳି ସାଇବର କ୍ରାଇମ୍ ଡଟ୍ ଜିଓଭି ଡଟ୍ ଇନ୍ରେ ମଧ୍ୟ ରିପୋର୍ଟ କରାଯାଇପାରିବ । ଏହାବାଦ ସଂଚାର ସାଥୀର ଚାକ୍ସୁ ଫିଚରରେ ଟେଲିକମ ଠକେଇକୁ ମଧ୍ୟ ରିପୋର୍ଟ କରାଯାଇପାରିବ । ବରିଷ୍ଠ ନାଗରିକ, ମହିଳା ଏବଂ ଅନ୍ୟ ୟୁଜରଙ୍କୁ ସାଇବର ଠକେଇରୁ ଦୂରେଇ ରଖିବା ଦିଗରେ ନିରନ୍ତର ସଚେତନତା ସୃଷ୍ଟି କରୁଛି ଟ୍ରାଇ । ନିରନ୍ତର ରିପୋର୍ଟ, ଟେକ୍ନୋଲୋଜି ଭିତ୍ତିକ ମନିଟରିଂ, ଅନୁପାଳନ ସ୍ପାମ୍ ଏବଂ ଫ୍ରଡ୍ ରୋକିବାରେ ସହାୟକ ହେବ ବୋଲି ଟ୍ରାଇ ଆଶାବାଦୀ ରହିଛି ।

