ଅଶାନ୍ତ ସୁନ୍ଦରଗଡ଼ । ୧୬୩ ଧାରା ଲାଗୁ, ଇଣ୍ଟରନେଟ ସେବା ବନ୍ଦ । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ବନ୍ଦ ରହିଛି ସ୍କୁଲ ଓ କଲେଜ । ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଯେଉଁଥିରେ ୪ ପୋଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି ।
ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାତି ସାରା ପାଚ୍ରୋଲିଂ କରାଯାଇଛି । ସ୍ଥିତି ସ୍ବାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ପୋଲିସ ପ୍ରଶାସନକୁ ସହାୟତା କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ଶାନ୍ତି କମିଟି ବସି ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ କରିବାକୁ ଉଦ୍ୟମ କରାଯିବ । ୨ ଜଣଙ୍କୁ ଅଟକ ରଖାଯାଇଛି, ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
