
କୋଏମ୍ବାଟୁର: ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ନିର୍ଦ୍ଦେଶକ ରାଜ ନିଡିମୋରୁ (ରାଜ ଏବଂ ଡି.କେ. ଯୋଡ଼ିର ଜଣେ ସଦସ୍ୟ) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ଏକ ଅତ୍ୟନ୍ତ ନିରୋଳା ଏବଂ ନିରାଡ଼ମ୍ବର ଉତ୍ସବରେ ପରସ୍ପରକୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି।
କୋଏମ୍ବାଟୁରର ଇଶା ଫାଉଣ୍ଡେସନ ପରିସରରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ପରିବାର ଓ ଅତି ନିକଟତମ ସାଙ୍ଗମାନଙ୍କୁ ମିଶାଇ ମାତ୍ର ୩୦ ଜଣ ଅତିଥିଙ୍କ ଉପସ୍ଥିତିରେ ଏହି ଗୁପ୍ତ ବିବାହ ସମ୍ପନ୍ନ ହୋଇଥିଲା। ସୂତ୍ର ଅନୁସାରେ, ସାମନ୍ଥା ବିବାହ ସମୟରେ ଏକ ସୁନ୍ଦର ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧିଥିବାବେଳେ ରାଜ ନିଡିମୋରୁ ପାରମ୍ପରିକ ପୋଷାକରେ ନଜର ଆସିଥିଲେ।
ଏହି ସ୍ୱତନ୍ତ୍ର ମୁହୂର୍ତ୍ତର ଫଟୋଗୁଡ଼ିକୁ ସାମନ୍ଥା ରୁଥ୍ ପ୍ରଭୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କିଛି ଫଟୋ ଶେୟାର କରି ତାରିଖ ସହିତ ଦୁଇଟି ଧଳା ହୃଦୟର ଇମୋଜି ଦେଇଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ପେସାଗତ ସ୍ତରରେ ‘ଦ ଫ୍ୟାମିଲି ମ୍ୟାନ୍ ୨’ ଏବଂ ‘ସିଟାଡେଲ୍: ହନି ବନି’ ଭଳି ପ୍ରୋଜେକ୍ଟରେ ଏକାଠି କାମ କରିବା ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା।
ତେବେ, ଏହି ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ ନିଡିମୋରୁଙ୍କ ପୂର୍ବତନ ପତ୍ନୀ ଶ୍ୟାମଲୀ ଦେଙ୍କର ଏକ ଗୁପ୍ତ ପୋଷ୍ଟକୁ ନେଇ କିଛି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।ବର୍ତ୍ତମାନ ଏହି କଳାକାର ଯୋଡ଼ି ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି।
