
ସବୁ ଅନିଶ୍ଚିତତାର ଅନ୍ତ । ଆସନ୍ତା ରବିବାର ଭାରତ-ପାକିସ୍ତାନ ମହାଲଢ଼େଇ । ଖେଳିବାକୁ ରାଜି ହେଲା ପାକିସ୍ତାନ । ଆଇସିସି ସହ ପିସିବିର ବୈଠକ ପରେ ନିଷ୍ପତ୍ତି । ଆସିଛି ଅଫିସିଆଲ ନୋଟିଫିକେସନ୍ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ହେବ ଭାରତ-ପାକିସ୍ତାନ ମ୍ୟାଚ । ପାକିସ୍ତାନ ସରକାର ସରକାରୀ ଭାବେ ନିଜର ପୂର୍ବ ନିଷ୍ପତ୍ତି ବଦଳାଇ ମ୍ୟାଚ୍ ଖେଳିବା ପାଇଁ ଅନୁମତି ଦେଇଛନ୍ତି ।
ରବିବାର ଭାରତ ସହ ମ୍ଯାଚ ଖେଳିବାକୁ ଆଇସିସି ଆଗରେ ତିନି ସର୍ତ୍ତ ରଖିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ । ଭାରତ ବିରୋଧ ମ୍ୟାଚ ବହିଷ୍କାରରୁ ଓହରିବାକୁ ଆଇସିସି ରାଜସ୍ବରେ ବଡ଼ ଅଂଶଧନ, ପୁଣି ଭାରତ ବିପକ୍ଷରେ ଦ୍ବିପାକ୍ଷିକ ମ୍ଯାଚ ଆରମ୍ଭ ଓ ହାଣ୍ଡସେକ ପ୍ରୋଟୋକଲକୁ କଡ଼ାକଡ଼ି ଲାଗୁ କରିବାକୁ ଦାବି ରଖିଥିଲା ପାକିସ୍ତାନ । ତେବେ ପାକିସ୍ତାନର ଦାବିକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି । ଏହା ସତ୍ତ୍ବେ ବାଧ୍ୟ ହୋଇ ଭାରତ ସହ ଖେଳିବ ପାକିସ୍ତାନ । ଏହି ନିଷ୍ପତ୍ତିକୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ସ୍ୱାଗତ କରିବା ସହ ୧୯୯୬ ବିଶ୍ୱକପ୍ କଥା ମନେ ପକାଇଛନ୍ତି । ସେ କହିଛନ୍ତି “ସେତେବେଳେ ସୁରକ୍ଷା ସମସ୍ୟା ପାଇଁ ଅନ୍ୟ ଦେଶମାନେ ଓହରି ଯାଇଥିବା ବେଳେ ଭାରତ ଓ ପାକିସ୍ତାନ ଶ୍ରୀଲଙ୍କା ସହ ଠିଆ ହୋଇଥିଲେ । ପୁଣି ଥରେ ପାକିସ୍ତାନ ମ୍ୟାଚ୍ ପାଇଁ ସମ୍ମତି ଜଣାଇ କ୍ରିକେଟର ଏକତାକୁ ପ୍ରମାଣିତ କରିଛି । ICC ମଧ୍ୟ ପାକିସ୍ତାନର ନିଷ୍ପତ୍ତିକୁ ପ୍ରଶଂସା କରିଛି । ହାଇ-ଭୋଲଟେଜ୍ ମ୍ୟାଚ୍ ରୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ଥିବାରୁ ମ୍ୟାଚକୁ ବାତିଲ ନ କରିବା ପାଇଁ ବ୍ୟାପକ ଚାପ ରହିଥିଲା । ଏବେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ-ପାକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ କ୍ରିକେଟ ପ୍ରେମୀ ଚାହିଁ ରହିଛନ୍ତି ।
