Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସନ୍ଧ୍ୟାରୁ ପ୍ରବଳ ବର୍ଷା ଓ ପବନ ସମ୍ଭାବନା,ରାତିରେ ହେବ ଲ୍ୟାଣ୍ଡଫଲ୍

Posted on October 28, 2025

ବାତ୍ୟା ‘ମୋନ୍‌ଥା’ ମଙ୍ଗଳବାର ରାତି ୧୦ଟା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ କରିବ ଲ୍ୟାଣ୍ଡଫଲ୍‌ । ସେତେବେଳେ ସେଠାରେ ପବନ ବହୁଥିବ ୯୦-୧୦୦ କିଲୋମିଟର ବେଗରେ । ଲ୍ୟାଣ୍ଡ ଫଲ୍‌ ପରେ ଦ୍ରୁତ ଗତିରେ ଏହା ଦୁର୍ବଳ ହେବ ।

ବୁଧବାର ଭୋର୍‌ ସମୟରେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାର ଦେଇ ଓଡ଼ିଶାରେ ପଶିବ ବାତ୍ୟା । ଯଦିଓ ସେତେବେଳକୁ ଏହାର ପ୍ରକୋପ ବହୁ ମାତ୍ରାରେ କମିଥିବ, ତଥାପି ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବ । ମାଲ୍‌କାନଗିରି ସହର ଦେଇ ବାତ୍ୟା ସିଧା ଛତିଶଗଡ଼ ମୁହାଁ ହେବ । ବାତ୍ୟାର ଡାହାଣପଟେ ଅର୍ଥାତ୍‌, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପବନର ପ୍ରକୋପ ଅଧିକ ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ବାତ୍ୟା ପ୍ରଭାବ ପଡ଼ିବ । ୬୦-୭୦ କିମି ପବନ ହେବ ଦକ୍ଷିଣ ଓଡ଼ିଶାରେ । ପବନର ଧକ୍କା ଅତି ବେଶିରେ ୮୦ କିମି ପର୍ଯ୍ୟନ୍ତ ଯାଇପାରେ । ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ ମୋନ୍‌ଥା । ପବନ ଅପେକ୍ଷା ଲଗାଣ ବର୍ଷା ଓ ସମ୍ଭାବ୍ୟ ଭୂସ୍ଖଳନ ସ୍ଥିତି ମୁକାବିଲା ନେଇ ବ୍ୟାପକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ବାତ୍ୟା ପାଇଁ ୮ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ଏହି ୮ ଜିଲ୍ଲାରେ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ସ୍କୁଲ ଛୁଟି ଘୋଷଣା କରିଛି ଗଣଶିକ୍ଷା ବିଭାଗ । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗୋପାଳପୁର ବେଳାଭୂମିରେ ୨୦ଟି ଟ୍ରଲର ଫସି ରହିଛି । ଗୋପାଳପୁର ବେଳାଭୂମିର ସମସ୍ତ ହୋଟେଲକୁ ସଟଡାଉନ ଘୋଷଣା କରାଯାଇଛି । କୃଷି ବିଭାଗ ଅଧିକାରୀଙ୍କ ଛୁଟିକୁ ୩୧ ଯାଏଁ ବାତିଲ କରାଯାଇଛି ।

ବାତ୍ୟା ମୋନ୍‌ଥା ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେଇ ସକାଳ ସାଢ଼େ ୧୧ଟା ବେଳେ ଏହା କାକିନାଡ଼ାର ଦକ୍ଷିଣ-ପୂର୍ବରେ ସମୁଦ୍ର ଭିତରେ ଥିବ । ରାତି ୧୦ଟା ପାଖାପାଖି ଲ୍ୟାଣ୍ଡଫଲ୍‌ କରିବ । ରାତି ସାଢ଼େ ୧୧ଟା ବେଳକୁ ବିଜୟନଗରମରୁ ଦକ୍ଷିଣରେ କୋଟାମାଲାଭାରମ ଜଳରାଶି ଉପରେ ଥିବ । ବୁଧବାର ଭୋର ସମୟରେ ମାଲକାନଗିରିର ବାଲିମେଳା ଦେଇ ଓଡ଼ିଶା ଭିତରକୁ ପଶିବ । ସେତେବେଳକୁ ବାତ୍ୟାର ତୀବ୍ରତା କମିଯାଇଥିବ । ବାଲିମେଳା, ମାଲକାନଗିରି ସହର ଭିତର ଦେଇ ଯିବ ଛତିଶଗଡ଼କୁ । ବୁଧବାର ଦିନ ୧୧ଟା୩୦ ବେଳକୁ ଥିବ ଛତିଶଗଡ଼ ସୁକମା ଉପରେ । ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ ଲ୍ୟାଣ୍ଡଫଲ୍‌ କରିବା ପରେ କ୍ରମଶଃ ବାତ୍ୟା ଦୁର୍ବଳ ହେବାକୁ ଲାଗିବ । ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୨୮ ତାରିଖ ସନ୍ଧ୍ୟାରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଏହାର ପ୍ରଭାବ ବେଶି ଅନୁଭୂତ ହୋଇପାରେ । ଏସବୁ ଅଞ୍ଚଳରେ ପବନ ବେଗ ସର୍ବାଧିକ ୬୦-୭୦ କିମି ଓ ଝଟକା ୮୦ କିମି ରହିପାରେ ।

ଆଇଏମଡି ପୂର୍ବାନୁମାନ ଦେଖାଇଛି, ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ୬୦-୭୦ କିମି ପବନ ହୋଇପାରେ । ପବନ ଧକ୍କା ୮୦ କିମି ରହିବା ନେଇ ସତର୍କ କରାଯାଇଛି । କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ାରେ ୫୦-୬୦ କିମି ପବନ ଓ ପବନ ଧକ୍କା ୭୦ କିମି ଛୁଇଁପାରେ । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଛର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ୪୦-୫୦ କିମି ପବନ ହୋଇପାରେ ।

ବୁଧବାର ଅଧିକାଂଶ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିକୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ପବନ ବେଗ ୬୦-୭୦ ରହିପାରେ । ଉପକୂଳ ଅଞ୍ଚଳରେ ବି ପ୍ରବଳ ବର୍ଷା ସହ ୪୦-୫୦ କିମି ପବନ ହୋଇପାରେ । ଗୁରୁବାରଠାରୁ ପ୍ରଭାବ କମିବ । ତଥାପି ଅନେକ ସ୍ଥାନରେ ବର୍ଷା ଓ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme