Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି, ଅପରାହ୍ଣ ସାଢ଼େ ୨ରୁ ସାଢ଼େ ୪ ଦିବା ପହୁଡ଼

Posted on December 16, 2025

ମଙ୍ଗଳବାର ଧନୁସଂକ୍ରାନ୍ତି ଠାରୁ ବଡ଼ଦେଉଳରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଆରମ୍ଭ ହେଉଛି । ଆସନ୍ତା ମାସ ମକର ସଂକ୍ରାନ୍ତି ପୂର୍ବ ଦିନ ମାସାନ୍ତ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନୀତି ଚାଲିବ । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେବ ଠାକୁରଙ୍କ ପହିଲି ଭୋଗ । ସୋମବାର କୋଠଭୋଗ ରୋଷଘରେ ନୂଆ ଚୁଲି ପ୍ରସ୍ତୁତ ହୋଇ ରହଛି । ମହାସୁଆରମାନେ ଏହାକୁ ତିଆରିଛନ୍ତି ।

ପହିଲି ଭୋଗରେ ବିରି, ଗହମ ଓ ଗୁଆଘିଅରେ ତିଆରି ପିଠାମାନ ଠାକୁରଙ୍କୁ ପୂଜା ହେବ । ମହାପ୍ରଭୁଙ୍କ ବରିଷ୍ଠ ସେବକ ତଥା ଶ୍ରୀମନ୍ଦିର ଦେଉଳକରଣ ପିଠା ଚିଠା ବଡ଼ୁସୁଆରଙ୍କୁ ଦେଇଥାନ୍ତି । ସେହି ଅନୁସାରେ ପିଠା ସବୁ ତିଆରି ହୋଇ ଠାକୁରଙ୍କୁ ପହିଲି ଭୋଗ ଅର୍ପଣ କରାଯିବାର ପରମ୍ପରା ରହିଛି । ପବିତ୍ର ଧନୁସଂକ୍ରାନ୍ତି ଅବସରରେ ଠାକୁରଙ୍କ ଧନୁମୁଆଁ ମଧ୍ୟ ଭୋଗ ଲଗାଯିବ ।

ପହିଲି ଭୋଗ ବିଧିବିଧାନ ପାଇଁ ପାଳିଆ ସେବକଙ୍କୁ ନିଦ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏନେଇ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରିଛି । ପୂର୍ବ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟି ଓ ପହିଲି ଭୋଗ ପ୍ରାତଃ ୬ଟା ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି । ସାଧାରଣ ଦିନରେ ଶ୍ରୀମନ୍ଦିର ନୀତି ଅନୁସାରେ ଠାକୁରଙ୍କ ବେଶ ପରେ ରୋଷହୋମ ହୋଇଥାଏ । ରୋଷହୋମରୁ ଅଗ୍ନି ଆସିଲେ ଠାକୁରଙ୍କ ଭୋଗ ରନ୍ଧାଯିବା ପାଇଁ ଚୁଲି ଲାଗିଥାଏ । ପହିଲି ଭୋଗ ମାସରେ କିନ୍ତୁ ଠାକୁରଙ୍କ ମଙ୍ଗଳ ଆଳତି ପରେ ରୋଷହୋମ କରାଯାଏ । ସ୍ୱତନ୍ତ୍ର ଚୁଲିରେ ପିଠା ରନ୍ଧା ଯିବ । ସୋମବାର ପ୍ରସ୍ତୁତ ୧ଟି ନୂତନ ସହ ମୋଟ ୪ଟି ଚୁଲିରେ ପହିଲି ଭୋଗ ପ୍ରସ୍ତୁତ ହେବ । ରତ୍ନସିଂହାସନରେ ଅବକାଶ ପରେ ମହାପ୍ରଭୁ ଘୋଷ ଅଳଙ୍କାର ଲାଗି ହେବେ । ବେଶ ସରିବା ପରେ ଗୋପାଳବଲ୍ଲଭ ସହିତ ପହିଲି ଭୋଗ ଅର୍ପଣ କରାଯିବ ।

ଶ୍ରୀମନ୍ଦିର ଦେଉଳକରଣ କୁହନ୍ତି, ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଠାକୁରଙ୍କ ଭୋଗ ପିଠା ଚିଠା ପ୍ରସ୍ତୁତ କରିବା ଦାୟିତ୍ୱ ଦେଉଳକରଣଙ୍କର । ସେହି ଅନୁସାରେ ପିଠା ସବୁ ଭୋଗ ପାଇଁ ଆଣିବେ ମହାସୁଆର । ଏହି ଭୋଗରେ ବଡ଼ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ସାନ ଅମାଲୁ, ନଳି, କାକେରା, ଏଣ୍ଡୁରୀ, ମୁଗେଇ, ଝଡ଼େଇ ନେଦା, ନଡ଼ୁ, ଗଜା, ଖଇରଚୁଳ, ଗଇଁଠା, ମଣ୍ଡା ଆଦି ଭୋଗ ଲାଗିବ । ପିଠା ପ୍ରସ୍ତୁତିରେ ସେବକଙ୍କ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟ ବଣ୍ଟନ ହୋଇଛି । ମାସ ତମାମ୍ ହେଉଥିବା ଠାକୁରଙ୍କ ଏହି ପରମ୍ପରା ପାଳନ ପାଇଁ ସେବକମାନେ ବେଶ୍ ତତ୍ପର ରହିଥାନ୍ତି ।

ପହିଲି ଭୋଗ ସମୟରେ ଭକ୍ତମାନେ ଅତି ସଅଳ ଠାକୁରଙ୍କ ଦର୍ଶନ ସମେତ ଅନ୍ନପ୍ରସାଦ ଭୋଗ ପାଇଥାନ୍ତି । ଚଳିତ ବର୍ଷ ପହିଲି ଭୋଗ ନୀତି ଅନୁସାରେ ସକାଳଧୂପ ସକାଳ ସାଢ଼େ୬ଟାରୁ ୮ଟା ମଧ୍ୟରେ ଅର୍ପଣ ହେବ । ସକାଳ ୮ଟା୨୦ରୁ ୧୦ଟା ମଧ୍ୟରେ ପ୍ରଥମ ଭୋଗମଣ୍ଡପ ହେବ । ପରେ ସାଧାରଣ ଭକ୍ତଙ୍କୁ ଭଳିକି ଭଳି ଗରମ ମହାପ୍ରସାଦ ଉପଲବ୍ଧ ହେବ । ସାଢ଼େ ୧୦ଟାରୁ ୧୨ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଓ ୧ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ହୋଇ ସାଢ଼େ ୨ଟାରେ ଠାକୁରଙ୍କ ଦିବା ପହୁଡ଼ ସମ୍ପନ୍ନ ହେବ । ପୁନଃ ଅପରାହ୍ଣ ସାଢ଼େ ୪ଟାରେ ଦ୍ୱାର ଫିଟା ହେବ । ଶ୍ରୀମନ୍ଦିରରେ ଭିଡ଼କୁ ଧ୍ୟାନ ଦେଇ ଦିବା ପହୁଡ଼ ସମୟ ରହିବ ବୋଲି ପ୍ରଶାସନିକ ପୂର୍ବ ସୂଚନା ରହିଛି । ସାନ୍ଧ୍ୟକାଳୀନ ଅନ୍ୟାନ୍ୟ ନୀତି ହୋଇ ମହାପ୍ରଭୁଙ୍କ ରାତ୍ର ପହୁଡ଼ ୧୧ଟାରେ ହେବାକୁ ସ୍ଥିର କରାଯାଇଛି । ଆସନ୍ତା ଜାନୁୟାରୀ ୧୩ ତାରିଖ ମାସାନ୍ତ ପର୍ଯ୍ୟନ୍ତ ପହିଲି ଭୋଗ ନୀତିର ଆନନ୍ଦ ନେବେ ଜଗନ୍ନାଥପ୍ରେମୀ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme