
ବୈପାରିଗୁଡା: ବୈପାରିଗୁଡା ସଦର ମହକୁମାରେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିଲେ ମଧ୍ୟ ପୁଲିସର ହାତ ଖାଲି ପଡ଼ିଛି। କିଛି ଦିନ ତଳେ ବୈପାରିଗୁଡା ପଞ୍ଚାୟତ ତରଫରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ମଟରରୁ ବିଦ୍ୟୁତ୍ ତାର ଚୋରି ହୋଇଥିବା ନେଇ ବୈପାରିଗୁଡା ଥାନାରେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଏତଲା ଦିଆଯାଇଥିଲା। ସେହିପରି ସ୍ବର୍ଗତ ଏନ୍ ହରି ପ୍ରସାଦଙ୍କ ଘର କାନ୍ଥ ଭାଙ୍ଗି ଚୋରି ହୋଇଥିବା ମଧ୍ୟ ଏତଲା ଦିଆଯାଇଥିଲା। ସମସ୍ତ ଚୋରି ମାମଲାରେ ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। କିନ୍ତୁ ଚୋରଙ୍କ ଟେର୍ ପାଇ ପାରିନଥିଲା ପୁଲିସ। ସେହିପରି ଚୋର ମାନେ ଶ୍ମଶାନକୁ ମଧ୍ୟ ଛାଡ଼ି ନାହାନ୍ତି। ବୈପାରିଗୁଡା ଶ୍ମଶାନରେ ବର୍ଷା ଦିନେ ଶବଦାହ ସୁବିଧା ପାଇଁ ଶଙ୍କର ପାତ୍ର ପରିବାର ତାଙ୍କ ମାଁ ବାପାଙ୍କ ସ୍ମୃତିରେ ଏକ ଶ୍ମଶାନ ଗୃହ ନିର୍ମାଣ କରିଥିଲେ। ଶବଦାହର ସୁବିଧା ପାଇଁ ଲୁହା ଖୁଣ୍ଟ ଏବଂ ତାପ ନିୟନ୍ତ୍ରିତ ଇଟାର ବ୍ୟବସ୍ଥା କରାଇଥିଲେ। କିନ୍ତୁ ଦୁବୃର୍ତ୍ତ ମାନେ ତାହା ମଧ୍ୟ ଛାଡ଼ିଲେ ନାହିଁ। ଶ୍ମଶାନକୁ ଭାଙ୍ଗିବା ସହ ଲୁହା ଖୁଣ୍ଟ ଗୁଡ଼ିକ ଚୋରି କରିନେଇଥିବା ଚର୍ଚ୍ଚା ହେଉଛି। ପୁଲିସ ପେଟ୍ରୋଲିଂ ଜୋରଦାର କରିବା ସହ ଯଥାଶୀଘ୍ର ଚୋରକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।

