
ଜାପାନରେ ଏବେ ‘ମାନବ ୱାଶିଂ ମେସିନ୍’ ଲଞ୍ଚ୍ ହୋଇଛି । ଏହି କ୍ୟାପ୍ସୁଲ ଭଳି ମେସିନ୍ ମଧ୍ୟରେ ଶୋଇବା ପରେ ମାତ୍ର ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ପୂରା ଶରୀର ସଫା ହୋଇଯାଇଥାଏ । ଏଥିସହ ସେ ତାଜାପଣ ଅନୁଭବ କରିଥାନ୍ତି । ହାଇଟେକ୍ ଟେକ୍ନୋଲୋଜିଯୁକ୍ତ ଏହି ମେସିନ୍ ମଣିଷର ମୁଣ୍ଡରୁ ନେଇ ପାଦ ଯାଏ ସଫା କରିବାକୁ ଗରମ ବାୟୁ, ମାଇକ୍ରୋ ବବଲ୍ସ ଏବଂ ୱାଟର ଜେଟ୍ସର ବ୍ୟବହାର କରିଥାଏ । ମେସିନ୍କୁ ‘ଫ୍ୟୁଚର ହ୍ୟୁମାନ ୱାଶର’ ବୋଲି ମଧ୍ୟ କୁହାଯାଉଛି ।
ସେଠାକାର ଏକ ଟେକ୍ କମ୍ପାନି ‘ସାଇନ୍ସ’ ଏହି ଉତ୍ପାଦକୁ ବଜାର ପ୍ରବେଶ କରାଇଛି । ଅକ୍ଟୋବର ମାସରେ ଓସାକାରେ ଶେଷ ହୋଇଥିବା ୱାର୍ଲଡ ଏକ୍ସପୋରେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ଛଅ ମାସ ଧରି ଚାଲିଥିବା ସେହି ଏକ୍ସପୋରେ ଏହି ମେସିନ୍ ବହୁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାପରେ ଆମେରିକାର ଏକ ରିସୋର୍ଟ କମ୍ପାନି ସମେତ କିଛି ଅନ୍ତର୍ଜାତୀୟ ବ୍ୟବସାୟ ସଂସ୍ଥା ଏହାର ପ୍ରୋଟୋଟାଇପ୍କୁ ବ୍ୟବସାୟୀକରଣ କରିବାକୁ ‘ସାଇନ୍ସ’କୁ ପ୍ରେରିତ କରିଥିଲେ ।
ଏହି କ୍ୟାପସୁଲ ମଧ୍ୟରେ ବ୍ୟବହାରକାରୀ ଏକ ୨.୩ ମିଟର ଲମ୍ବା ପଡ୍ ଭଳି ମେସିନ୍ରେ ଶୋଇଥାନ୍ତି । ଏହାପରେ ତାର ଢାଙ୍କୁଣୀ ବନ୍ଦ ହୋଇଯାଏ । ଏଥିସହ ମେସିନ୍ ଧୀରେ ଧୀରେ ବ୍ୟକ୍ତିଙ୍କ ଶରୀରକୁ ସଫା କରିବା ଆରମ୍ଭ କରେ । ଏହି ସମୟରେ ହାଲ୍କା ସଙ୍ଗୀତ ମଧ୍ୟ କ୍ୟାପସୁଲ ମଧ୍ୟରେ ବାଜିଥାଏ । ସେଥିଯୋଗୁ ବ୍ୟକ୍ତିଙ୍କୁ ସ୍ପା’ ଭଳି ଅନୁଭବ ହୋଇଥାଏ ।
ସାଇନ୍ସ କମ୍ପାନିର ମୁଖପାତ୍ରଙ୍କ ଅନୁସାରେ, ଏହି ନୂଆ ମେସିନ୍ କେବଳ ଲୋକଙ୍କ ଶରୀରରୁ ମଇଳା ସଫା କରିବ ନାହିଁ, ସେମାନଙ୍କ ମନକୁ ମଧ୍ୟ ସତେଜ ଅନୁଭବ କରାଇବ । ଶରୀରକୁ ସଫା କରିବା ସମୟରେ ସେନ୍ସର ମାଧ୍ୟମରେ ଏହା ବ୍ୟବହାରକାରୀଙ୍କ ହୃଦ୍ସ୍ପନ୍ଦନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଙ୍କେତକୁ ନିରୀକ୍ଷଣ କରିଥାଏ । ‘ମାନବ ୱାଶିଂ ମେସିନ୍’ର ନୂତତତ୍ୱ ଯୋଗୁ କମ୍ପାନି ଏହାର ମାତ୍ର ୫୦ଟି ୟୁନିଟ୍ ପ୍ରସ୍ତୁତ କରିବାକୁ ଯୋଜନା ରଖିଥିବା ସେ ପ୍ରକାଶ କରିଛନ୍ତି । ଏହି ମେସିନ୍ର ଦାମ୍ ୩.୮୫ ଲକ୍ଷ ଡଲାର ହେବ ବୋଲି କୁହାଯାଉଛି । ଓସାକାର ଏକ ହୋଟେଲ୍ ଏହାର ପ୍ରଥମ ୟୁନିଟ୍କୁ କିଣିଛି ।
