
ଗାଁ ରୁ ଜିଲ୍ଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ। ନିଷ୍ପତ୍ତି ବଦଳାଇବାକୁ ସରକାରଙ୍କ ନିକଟରେ ଦାବି କରାଯିବ। ଯଦି ୨୩ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନିଆ ନଯାଏ, ତେବେ ୨୪ ତାରିଖରୁ କଟକକୁ କୌଣସି ବସ ଗଡିବ ନାହିଁ। ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ।
ଲକ୍ଷ୍ମୀ ବସ ଗାଁ ରୁ ପଞ୍ଚାୟତ ଯାଏଁ ଚାଲିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗତ କିଛି ଦିନ ଭିତରେ ଉକ୍ତ ନିଷ୍ପତ୍ତିରେ ପରିବର୍ତ୍ତନ ଆସିଛି। କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକରେ ଜିଲ୍ଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ ହୋଇଛି। କିଛି ଜାଗାରେ ବିରୋଧ କାରଣରୁ ଏହାକୁ ବନ୍ଦ ରଖାଯାଇଛି।
କଟକରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଜରୁରୀ ବୈଠକ ବସିଥିଲା। ଯେଉଁଠି ନିଷ୍ପତ୍ତି ହୋଇଛିକି, ଜିଲ୍ଲା ହେଡ଼ କ୍ଵାଟର ଯାଏଁ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରାଯିବ। ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ୨୪ ତାରିଖରୁ କଟକରେ ବସ ଗଡ଼ିବା ବନ୍ଦ ହେବ। ଆବଶ୍ୟକ ପଡିଲେ ସାରା ରାଜ୍ୟରେ ବସ ଧର୍ମଘଟ ହେବବୋଲି ଘରୋଇ ବସ ମାଲିକ ସଙ୍ଘ ତରଫରୁ କୁହାଯାଇଛି।
