
ମଙ୍ଗଳବାର ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ ମୁତାବକ, ରୁପା କିଲୋ ପିଛା ଦର ୭୨୨୫ ଟଙ୍କା ବୃଦ୍ଧି ହୋଇ ୨.୪୪ ଲକ୍ଷ ଛୁଇଁଛି । ଭୁବନେଶ୍ୱରରେ ରୁପା କିଲୋ ପିଛା ଦର ୬ ହଜାର ଟଙ୍କା ବୃଦ୍ଧି ହୋଇ ୨.୭୧ ଲକ୍ଷ ଟଙ୍କା ରହିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୬୦୦ ଟଙ୍କା ବୃଦ୍ଧି ହେବା ଯୋଗୁ ୧୦ ଗ୍ରାମ ପିଛା ଦର ୧.୩୭ ଲକ୍ଷ ଟଙ୍କା ଛୁଇଁଛି । ୨୨ କ୍ୟାରେଟ ସୁନା ୫୫୦ ଟଙ୍କା ବୃଦ୍ଧି ହୋଇ ୧.୨୭ ଲକ୍ଷ ଟଙ୍କା ରହିଛି । ଗତ ଗୋଟିଏ ବର୍ଷରେ ଦେଶରେ ସୁନା ୭୫% ଏବଂ ରୁପା ୧୬୭% ବୃଦ୍ଧି ହୋଇଛି । ଏହି ଅବଧିରେ ରୁପା ଦର ୧.୪୪ ଲକ୍ଷ ଟଙ୍କା ଏବଂ ସୁନା ଦର ୫୭,୦୩୩ ଟଙ୍କା ବଢ଼ିଛି । ସୁନା ଦର ବୃଦ୍ଧି ପଛରେ ୩ଟି କାରଣ ରହିଛି । ଆମେରିକା ସୁଧହାର ହ୍ରାସ କରିବା ଯୋଗୁ ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କିଣା ବଢ଼ାଇଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଅନିଶ୍ଚିତତା ଜାରି ରହିଛି । ଏହାଦ୍ୱାରା ଲୋକେ ସୁନା କିଣାକୁ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା ବଢ଼ାଇଛନ୍ତି । ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିଛି । ଏଥିଯୋଗୁ ଦର ଉପରମୁହାଁ ହୋଇଛି । ସେହିଭଳି ସୋଲାର, ଇଭି ଏବଂ ଇଲେକଟ୍ରୋନିକ୍ସ ଶିଳ୍ପରେ ରୁପା ବ୍ୟବହାର ବଢ଼ିଛି । ଟାରିଫ ଡରରେ ଆମେରିକା କମ୍ପାନି ରୁପା ମହଜୁଦ କରି ରଖୁଛନ୍ତି । ଯୋଗାଣ କମିବା ଯୋଗୁ ଏହାର ଦର ଉପରମୁହାଁ ହୋଇଛି । ସେହିଭଳି ଉତ୍ପାଦନ ଅଟକିବା ଡରରେ ମାନୁଫାକଚରିଂ କମ୍ପାନି ଗୁଡ଼ିକ ପ୍ରଚୁର ପରିମାଣରେ ରୁପା କିଣୁଛନ୍ତି । ଫଳରେ ଏହାର ଦର ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଉଛି । କେଡିଆ ଆଡଭାଇଜରିର ନିର୍ଦ୍ଦେଶକ କହିଛନ୍ତି, ଆଗକୁ ମଧ୍ୟ ରୁପା ଚାହିଦା ଦୃଢ଼ ରହିବ । ଫଳରେ ଦର ତେଜିବ ।
