
ଚାଷୀଙ୍କ ସହ ମଣ୍ଡି ସମ୍ବନ୍ଧୀୟ ପ୍ରସଙ୍ଗରେ କଲେ ଆଲୋଚନା
ରୁପ୍ରା: ନର୍ଲା ବିଧାୟିକା ମନୋରମା ମହାନ୍ତି ଗୁରୁବାର ଅପରାହ୍ନରେ ନର୍ଲା ବ୍ଲକ ଅଧିନ ରୁପ୍ରା ଧାନମଣ୍ଡି ପରିଦର୍ଶନରେ ଆସିଥିଲେ। ସେହିପରି ବିଜେଡିର ଏକ ଜିଲ୍ଲା ସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ତାଙ୍କ ସହ ଆସିଥିଲେ। ବିଜେଡିର ବରିଷ୍ଠ ନେତା ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ଭବାନୀପାଟଣା ମୁନିସିପାଲର ପୂର୍ବ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ବଲାଙ୍ଗିର ଜୋନ୍ ସଭାପତି ମନୀନ୍ଦ୍ର ମହାନ୍ତି, ଯୁବନେତା ପୀତବାସ ବେହେରା ଓ ଗୋବିନ୍ଦ ତାଣ୍ଡି ପ୍ରମୁଖ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଧାନର କଟନି ଛଟନି, ଅଖାବସ୍ତାର ଓଜନ ଓ ଧାନର ବର୍ଦ୍ଧିତ MSP ମୂଲ୍ୟ ୬୯ଟଙ୍କା ବାବଦରେ ଉପସ୍ଥିତ ଥିବା ଚାଷୀ ମାନଙ୍କ ସହ ଆଲୋଚନା କରି ମୋହନ ମାଝୀ ସରକାରଙ୍କୁ ସମାଲୋଚନା କରିଥିଲେ। ଅଖାବସ୍ତାର ଓଜନକୁ ନେଇ ମିଲର୍ସ୍ ସହିତ ଆଲୋଚନା କରିବା ପାଇଁ ବିଧାୟିକା ମତପ୍ରକାଶ କରିଥିଲେ। ସେହିପରି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଷୀମାନେ ମଣ୍ଡିରେ କିପରି ଖୋଲା ଆକାଶ ତଳେ ନିଜର ଧାନ ଜଗି ରହୁଛନ୍ତି, ସେଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ। ବିଜେଡି ଦଳ ଚାଷୀଙ୍କ ପଛରେ ରହିଛି, ଏଣୁ ଚାଷୀର ହକ୍ ପାଇବା ପାଇଁ ଦରକାର ହେଲେ ଆନ୍ଦୋଳନ ଆରମ୍ଭ ହେବବୋଲି ମତ ପ୍ରକାଶ କରିଥିଲେ। ରୁପ୍ରା ପେକ୍ସ୍ ସଭାପତି ସରୋଜ ରାଉତ, ଧାନକ୍ରୟ କେନ୍ଦ୍ରର ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ, ପେକ୍ସ୍ ଡାଇରେକ୍ଟର ଅଜୟ ସେନାପତି ଓ ଚୁଡାମଣି ବିଶ୍ୱାଳ, RMC କର୍ମଚାରୀ କାହ୍ନା ପଧାନ, ଚାଷୀ ତେଜରାଜ ସାହୁ, ସନ୍ତୋଷ ସାହୁ, ନବୀନ ପଧାନଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।
