
ତାଳଚେର ନୂଆଁ ବଲଣ୍ଡା ଠାରେ ରାସ୍ତା ନିର୍ମାଣ ଓ ମରାମତି ଦାବିରେ କଣିହାଁ ବିଜୁ ଜନତା ଦଳ ପକ୍ଷରୁ ୧୦ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକାରା ଦିଆଯାଇଛି । ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରି ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି । ଅନ୍ୟପଟେ ଏନଟିପିସିକୁ ଯାଉଥିବା କୋଇଲା ବୋଝେଇ ଟ୍ରେନକୁ ମଧ୍ୟ ବନ୍ଦ କରାଯାଇଛି । ସୂଚନା ଅନୁସାରେ ଉକ୍ତ ରାସ୍ତାରେ ଏନଟିପିସି ଓ ଜେଆଇଟିପିଏଲ କମ୍ପାନୀ ପକ୍ଷରୁ ପ୍ରତ୍ୟକଦିନ ହଜାର ହଜାର ଭାରିଯାନ ଚଳାଇବା ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଶୋଚନୀୟ ହୋଇପଡିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାସ୍ତା ନିର୍ମାଣ ଓ ମରାମତି ପାଇଁ ବାରମ୍ବାର ଦାବି ଆପତ୍ତି ହୋଇଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ଆଜି ଠାରୁ ଏହି ଅର୍ଥନୈତିକ ଅବରୋଧର ଡାକାରା ଦିଆଯାଇଛି । ଯେ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ କରାନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

