
ପୁଣି ରାସ୍ତା ଅଭାବରୁ ଯମ ଯନ୍ତ୍ରଣା । ଦୋଳାରେ ବୁହା ହେଲେ ଗୁରୁତର ଯୁବକ। ପ୍ରାୟ ୫କିମି ପର୍ଯ୍ୟନ୍ତ ବୁହା ହୋଇ ଡାକ୍ତରଖାନା ଗଲେ ଗୁରୁତର ଯୁବକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତର ବଡ଼ ଆଞ୍ଚୂପା ଗ୍ରାମରେ।
ସୂଚନା ମୁତାବକ, ୩୫ ବର୍ଷୀୟ ଯୁବକ ଦେବରାଜ ରଇତ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଖଟି କାମ କରୁଥିଲେ। ହେଲେ ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ମାସରେ ଗ୍ରାମକୁ ଫେରି ଆସିଥିଲେ। ଗ୍ରାମକୁ ଫେରିବା ପରେ ତାଙ୍କୁ ପ୍ରବଳ କାଶ, ରକ୍ତ ପଡ଼ିବା ସହ ଅତ୍ୟଧିକ ଦୁର୍ବଳ ହୋଇ ଗୁରୁତର ହୋଇଯାଇଥିଲେ । ହେଲେ ରାସ୍ତା ନଥିବା ଯୋଗୁଁ ତାଙ୍କୁ ପ୍ରାୟ ପାଞ୍ଚ କିଲୋମିଟର ଦୋଳାରେ ବୁହା କରି ଜଙ୍ଗଲ ରାସ୍ତା ଦେଇ ମାଡ଼ା ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଏକ ଅଟୋ ଭଡ଼ା କରି ତାଙ୍କୁ ପାତ୍ରପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା। ତେବେ ବଡ଼ ଆଞ୍ଚୂପା ଏକ ବଡ଼ ଗ୍ରାମ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପକ୍କା ରାସ୍ତା ନାହିଁ। ରାସ୍ତା ନଥିବା ହେତୁ ଯାତାୟତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଗ୍ରାମବାସୀମାନେ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ପ୍ରଥମେ ପାଞ୍ଚ କିଲୋମିଟର ପାଦରେ ଚାଲିବା ପରେ ମୁଖ୍ୟ ରାସ୍ତାରୁ ଅଟୋ ଯୋଗେ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ଘଟଣା ପରେ ଗ୍ରାମବାସୀମାନେ ପ୍ରଶାସନ ପକ୍ଷରୁ ତୁରନ୍ତ ଗ୍ରାମକୁ ଯୋଗାଯୋଗ ସୁବିଧା ପାଇଁ ପକ୍କା ରାସ୍ତା ନିର୍ମାଣ କରାଯିବାକୁ ଦୃଢ଼ ଦାବି କରିଛନ୍ତି।
