Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାତି ପାହିଲେ ଆଉ ଶୁଭୁନି କା…କା…

Posted on January 15, 2026

ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ । ଦିନେ ଏହି ଗୀତ ଶୁଣାଇ ମା’, ଜେଜେମା’ ପରିବାରର କୁନି କୁନି ପିଲାଙ୍କୁ ନିଦରୁ ଉଠାଉଥିଲେ । କାଉର କା…କା…ରାବରେ ସକାଳ ଆରମ୍ଭ ହେଉଥିଲା । ଧୀରେ ଧୀରେ କାଉର ଏହି ରାବ ପରିବେଶରୁ ହଜି ଯିବାକୁ ବସିଛି । କାଁ ଭାଁ କାଉ ଦେଖିବାକୁ ମିଳୁଥିବା ବେଳେ ଆଗାମୀ ଦିନରେ କାଉ କେବଳ ଚିଡ଼ିଆଖାନାରେ ଦେଖିବାକୁ ମିଳିବେ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କଲେଣି ।

ଭାରତର ପରିବେଶ ଓ ପରମ୍ପରା ସହ କାଉ ଯୋଡ଼ି ହୋଇ ରହିଛନ୍ତି । ପକ୍ଷୀମାନଙ୍କ ମଧ୍ୟରେ କାଉକୁ ଅତ୍ୟନ୍ତ ଚତୁର ପକ୍ଷୀ ବୋଲି ବିବେଚନା କରାଯାଏ । ଦକ୍ଷିଣ ମେରୁ, ଉତ୍ତର ମେରୁ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଂଶ ଏବଂ ପ୍ରଶାନ୍ତ ମହାସାଗରର କେତେକ ଦ୍ୱୀପକୁ ଛାଡ଼ି ଦେଲେ କାଉ ପ୍ରାୟ ଆଉ ସବୁଠି ଦେଖିବାକୁ ମିଳନ୍ତି । ପୃଥିବୀରେ ପ୍ରାୟ ୪୦ ପ୍ରଜାତିର କାଉ ଥିବା ବେଳେ ଭାରତରେ ସାଧାରଣତଃ ଦୁଇଟି ପ୍ରଜାତିର କାଉ ଦେଖିବାକୁ ମିଳନ୍ତି । ଏହି ଦୁଇଟି ହେଲେ ଡାମରା କାଉ ଓ ପାତି କାଉ । ଡାମରା କାଉ ଅତି ଚିକ୍କଣ କଳା ହୋଇଥିବା ବେଳେ ଏହାର ରାବ ଅତ୍ୟନ୍ତ କର୍କଶ । ପାତି କାଉର ବେକ ଟିକେ ପାଉଁଶିଆ । କାଉ ଏକ ସର୍ବଭକ୍ଷୀ ପକ୍ଷୀ । ସେ ଅଳିଆ, ଆବର୍ଜ୍ଜନା ମଧ୍ୟ ଭକ୍ଷଣ କରିଥାଏ । ଯେଉଁଥି ପାଇଁ ପରିବେଶ ସଫାସୁତୁରା ରଖିବାରେ କାଉର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଗଛରେ ଶହ ଶହ ସଂଖ୍ୟାର କାଉ ମାନେ ବସା ବାନ୍ଧି ରହିଥାନ୍ତି । ସକାଳୁ ସକାଳୁ ଏମାନେ ଖାଦ୍ୟ ଅନ୍ୱେଷଣରେ ଦଳଦଳ ହୋଇ ବାହାରି ଯାଆନ୍ତି । ସନ୍ଧ୍ୟା ବେଳକୁ ଦଳ ଦଳ ହୋଇ ବସାକୁ ଫେରି ଆସନ୍ତି । ଖାଦ୍ୟ ପାଇଁ ଏମାନେ ପ୍ରାୟ ୩୦ ମାଇଲି ରାସ୍ତା ଅତିକ୍ରମ କରିଥାନ୍ତି । ଖାଲି ଏତିକି ନୁହେଁ କାଉ କୋଇଲି ଅଣ୍ଡାକୁ ଉଷୁମାଇବା, ଅଣ୍ଡାରୁ ଛୁଆ ଫୁଟିବା ଓ ଛୁଆ ବଡ଼ ହେବା ଯାଏ ଦାୟିତ୍ୱ ନିର୍ବାହ କରିଥା’ନ୍ତି ।

ବର୍ତ୍ତମାନ ଆମ ପରିବେଶ ପରିବର୍ତ୍ତନ ହେବାରେ ଲାଗିଛି । ଦ୍ରୁତ ସହରୀକରଣ, ଜଙ୍ଗଲ କ୍ଷୟ, କଳ କାରଖାନା, ଗାଡ଼ି ମୋଟର ବୃଦ୍ଧି ଏବଂ ସବୁଠାରୁ ବଡ଼ କଥା ହେଲା ଆମ ଜୀବନଶୈଳୀ ଓ ଚାଲିଚଳନରେ ବିଶେଷ ପରିବର୍ତ୍ତନର ପ୍ରଭାବ ପରିବେଶ ଉପରେ ପଡ଼ିବାରେ ଲାଗିଛି । ଯେଉଁଥି ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି । ଏହି ଅସନ୍ତୁଳିତ ପରିବେଶର ପ୍ରଭାବ ସିଧାସଳଖ ପଶୁ, ପକ୍ଷୀଙ୍କ ଉପରେ ପଡ଼ୁଛି । ସେମାନଙ୍କ ବଂଶ କମିବାରେ ଲାଗିଛି । ବର୍ତ୍ତମାନ କାଉଙ୍କର ଖାଦ୍ୟ ଓ ବାସ ସ୍ଥାନ କମିବା ସହ ପ୍ରଦୂଷିତ ପରିବେଶ ଯୋଗୁ ସେମାନେ ବିଭିନ୍ନ ଦୁରାରୋଗରେ ଆକ୍ରାନ୍ତ ହୋଇ ଲୋପ ପାଇବାକୁ ବସିଛନ୍ତି ।

ଜଳବାୟୁ ପରିବର୍ତ୍ତନ ଯୋଗୁ କାଉଙ୍କ ବଂଶ ଲୋପ ପାଉଛି । ଆଗରୁ ଯେଉଁ ପରିବେଶ ଥିଲା ବର୍ତ୍ତମାନ ତାହା ନାହିଁ । ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗୁଛି । ପ୍ରଦୂଷଣ କମାଇବା ଏବଂ ଅଧିକରୁ ଅଧିକ ବୃକ୍ଷ ରୋପଣ କଲେ ଆମେ ଲୋପ ପାଇଯାଉଥିବା ବଂଶକୁ ରକ୍ଷା କରିପାରିବା । ଦ୍ରୁତ ସହରୀକରଣ ଓ କଳ କାରଖାନା ବୃଦ୍ଧି ଫଳରେ ବହୁ ପକ୍ଷୀଙ୍କ ବଂଶ ଲୋପ ପାଉଛି। କାଉ ବଂଶକୁ ବୃଦ୍ଧି କରିବାକୁ ହେଲେ ବଡ଼ ବଡ଼ ଗଛ ଲଗାଇବାକୁ ପଡ଼ିବ । ଏଥିସହ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ବନ ଅଧିକାରୀ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme