
ରାଜଧାନୀରେ ପୁଣି ଆଳୁର ଅଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି । ଶନିବାର ସକାଳୁ ନେଇ ଏପର୍ଯ୍ୟନ୍ତ କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନାହିଁ । ଫଳରେ ବଜାରକୁ ଆଳୁ କେମିତି ଯୋଗାଣ କରାଯିବ ତାକୁ ନେଇ ଚିନ୍ତା ଘାରିଛି । ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ । କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା ହଠାତ୍ ୫ଟଙ୍କା ଲେଖାଏଁ ବଢ଼ିଯିବା ତାଜୁବ କରିଛି । ବାତ୍ୟା ଆଳରେ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ତଥାପି ରବିବାର ରାଜସ୍ୱମନ୍ତ୍ରୀ ବାତ୍ୟା ବେଳେ କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କେତେ ଦୂର ଏହା କାର୍ଯ୍ୟକାରୀ ହେବ ତାକୁ ଦେଖିବାକୁ ବାକି ରହିଲା ।
ଗତ କିଛିମାସ ହେଲା ଭୁବନେଶ୍ୱରରେ ଆଳୁ ଦର ଠିକ୍ଠାକ୍ ଥିଲା । ପାଇକାରୀ ତଥା ହାଟରେ ଆଳୁ କିଲୋପ୍ରତି ୨୦ଟଙ୍କାରେ ବିକ୍ରି ହେଉଥିଲା । କାର୍ତ୍ତିକମାସରେ ଅନ୍ୟ ପରିବା ଦର ବଢ଼ିଥିଲେ ହେଁ ଆଳୁ ଦର ସନ୍ତୋଷଜନକ ରହିଥିଲା । ହେଲେ ବାତ୍ୟା ନଆସୁଣୁ ଆଳୁକୁ ନେଇ ପୁଣି ଗୋଳମାଳ ଦେଖାଦେଇଛି । ଏବେ କୋଲାକାତାରୁ ପ୍ରତିଦିନ ୨୦୦ରୁ ୩୦୦ଟନ୍ ଆଳୁ ଭୁବନେଶ୍ୱରକୁ ଆସୁଥିଲା । ଦୈନିକ ଭୁବନେଶ୍ୱରରେ ୨୫୦ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ପର୍ଯ୍ୟାପ୍ତ ଆଳୁ ବଜାରକୁ ଯାଉଥିଲା। କେବଳ ଭୁବନେଶ୍ୱର ହାଟ ନୁହେଁ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ଚନ୍ଦକା, ଜଟଣୀ, ଖୋର୍ଦ୍ଧା, ପୁରୀ ଅଞ୍ଚଳକୁ ବି ଏଠାରୁ ଆଳୁ ଯାଏ । ହେଲେ କାଲିଠୁ କୋଲକାତାରୁ ଆଳୁଗାଡ଼ି ନଆସିବା ବ୍ୟବସାୟୀ ତଥା ଗୋଦାମମାଲିକଙ୍କ ଚିନ୍ତା ବଢ଼ାଇଦେଇଛି । ଯଦି ଆଗାମୀଦିନରେ ଗାଡ଼ି ନଆସେ ତେବେ ଆଳୁ ଦର ଆହୁରି ବଢ଼ିଯିବାର ଆଶଙ୍କା ଦେଖାଦେଇଛି । ଏଥିସହ ଉପକଣ୍ଠ ଅଞ୍ଚଳକୁ ବି ଆଳୁ ଯୋଗାଣରେ ବାଧା ସୃଷ୍ଟି ହେବ ।
ଏସଂକ୍ରାନ୍ତରେ ବରିଷ୍ଠ ବ୍ୟବସାୟୀଙ୍କ କହିବା କଥା, ଗ୍ରାହକମାନେ ଆଦୌ ଚିନ୍ତିତ ହୁଅନ୍ତୁନି । ଆମେ ଆଳୁ ଯୋଗାଣ ସ୍ଥିତି ନେଇ ସମ୍ପୂର୍ଣ୍ଣ ସଚେତନ ଅଛୁ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଆମ ପାଖରେ ୫୦୦ରୁ ୭୦୦ଟନ୍ ଆଳୁ ଗଚ୍ଛିତ ରହିଛି । ତେଣୁ ଏବେ ରାଜଧାନୀରେ ଆଳୁର ସଙ୍କଟ ଦେଖାଯିବନି ବୋଲି ସେ ଆଶ୍ୱାସନା ଦେଇଛନ୍ତି । ତେବେ ଦର ବୃଦ୍ଧି ନେଇ ସେ କୌଣସି ସୂଚନା ପାଇନଥିବା କହିଛନ୍ତି । ରାଜ୍ୟ ବ୍ୟବସାୟୀ ମହାଂସଘ ସାଧାରଣ ସମ୍ପାଦକ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଆଳୁ ସଙ୍କଟ ନାହିଁ । ଆମର ଯେତିକି ଆଳୁ ଆସିବା କଥା ଆସୁଛି । ପ୍ରତିମାସକୁ ଲକ୍ଷେ ୨୦ହଜାର ଟନ୍ ଆଳୁ ଦରକାର । ପାଇକାରୀ ଆଳୁର କୁଇଣ୍ଟାଲ ଦର ୧୫ରୁ ୧୬ଶହ ଟଙ୍କା ରହିଛି ।
ସେହି ହିସାବରେ ୨୦ଟଙ୍କାରେ ଆଳୁ ବିକ୍ରି ହେଉଛି । ଏବେ ୯୦ପ୍ରତିଶତ ଆଳୁ କୋଲକାତାରୁ ଆସୁଛି । ବାତ୍ୟା ବେଳେ ଆଳୁ ସଙ୍କଟ ଦେଖାଯିବନି । ମୁଖ୍ୟ ଶାସନ ସଚିବଙ୍କ ଏକ ଚିଠି ଆସିଥିଲା । ଯେଉଁଥିରେ ଆଳୁ, ଚୁଡ଼ା, ଚାଉଳ, ଅଟା ଆଦି ପର୍ଯ୍ୟାପ୍ତ ସଂଖ୍ୟାରେ ମହଜୁଦ ରଖିବା ସହ ବ୍ୟବସ୍ଥିତ ଭାବେ ଯୋଗାଣ କରିବା ପାଇଁ ବ୍ୟବସାୟୀଙ୍କୁ କୁହାଯାଇଛି । ସେହି ହିସାବରେ ଆମେ ଯୋଗାଣ କରିବୁ । ଅପରପକ୍ଷେ, ବାତ୍ୟା ଆଳରେ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ରୋକଠୋକ୍ ଶୁଣାଇଛନ୍ତି । ଯଦି କେହି ଚଢ଼ାଦରରେ ଖାଦ୍ୟ ବିକ୍ରି କରୁଥିବାର ଅଭିଯୋଗ ଆସେ ତେବେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
