
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ବସ୍ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ଜଣେ ଯୌନ ପିପାଷୁ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି । ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର। ପବିତ୍ରକୁ ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଗତକାଲି ସନ୍ଧ୍ୟାରେ ତାଙ୍କ ନାବାଳିକା ଝିଅ ସହ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ମହିଳାଙ୍କୁ ନିଦ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା । ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ । ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଭରତପୁର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ସଙ୍ଗେ ସଙ୍ଗେ ବସ୍ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ବସ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବସ୍ ଟର୍ମିନାଲ ନିକଟରୁ ପୁଲିସ ପବିତ୍ରଙ୍କୁ ଉଠାଇ ନେଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ପବିତ୍ରକୁ ଗିରଫ କରିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି।

