
ଭଳିକି ଭଳି ଜର୍ମାନ ସେଫର୍ଡ । ନା ବି ସେମିତି, କାହାର ନାଁ ମାଇକଲ, କାହାର ନାଁ ରେଞ୍ଜ୍ ରୋଭର । କାହାର ନାଁ ଡାନିଭୋମ ସେନାଟୋ ତ କାହାର ନାଁ କିଙ୍ଗସ ୱେ ପିକ୍ସି । ସମସ୍ତେ କୌଶଳ ପ୍ରଦର୍ଶନରେ ମାହିର । ମାଷ୍ଟରଙ୍କ ଇଶାରାରେ ଦୌଡୁଥାନ୍ତି, ଡେଉଁଥାନ୍ତି ଓ ଭିନ୍ନଭିନ୍ନ ଭଙ୍ଗୀରେ ପୋଜ୍ ଦେଉଥାନ୍ତି । ଏପରିକି କ୍ୟାମେରା ଦେଖିଲେ, ଗୋଡ ଟେକି ନିରୀହଙ୍କ ଭଳି ଚାହୁଁଥାନ୍ତି । ଏହିଭଳି ଭାବେ କୌଶଳ ଦେଖାଇଥିଲେ ଗୋଟିଏ ପରେ ଗୋଟିଏ ଜର୍ମାନ ସେଫର୍ଡ । ଏଭଳି କିଛି ଦେଖିବାକୁ ମିଳିଛି ଡଗ୍ ସୋ’ର ପ୍ରଥମ ଦିନରେ ।
ଓଡ଼ିଶା କେନେଲ୍ କ୍ଲବ୍(ଭୁବନେଶ୍ୱର) ପକ୍ଷରୁ ଶୁକ୍ରବାର ଓୟୁଏଟିସ୍ଥିତ ଭେଟେରନାରୀ ପଡ଼ିଆରେ ଆରମ୍ଭ ହୋଇଛି ସର୍ବଭାରତୀୟ ଡଗ୍ ସୋ ଚାମ୍ପିଅନସିପ୍ । ପ୍ରଥମ ଦିନରେ ‘ଦି ଜର୍ମାନ ସେଫର୍ଡ ଡଗ୍ କନଫେଡେରେସନ୍(କଳିଙ୍ଗ ଚାପ୍ଟର)’ ପକ୍ଷରୁ ଅଷ୍ଟମ ଜର୍ମାନ ସେଫର୍ଡ କୁକୁରଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀକୁ ଓୟୁଏଟିର କୁଳପତି ପ୍ରଫେସର ଡ. ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ଜର୍ମାନୀରୁ ଆସିଥିବା ଜୋସେନ୍ ପ୍ରଲ୍ ବିଚାରକ ଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଭଳି ୮ଟି ରାଜ୍ୟରୁ ୮୩ଟି ଜର୍ମାନ ସେଫର୍ଡ ଭାଗ ନେଇ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେଥିଧ୍ୟରୁ କେତେକ ଜର୍ମାନ ସେଫର୍ଡଙ୍କ ଦାମ୍ ୩୦ରୁ ୩୫ଲକ୍ଷ ଟଙ୍କା ଥିଲା ।

ପ୍ରଦର୍ଶନୀରେ ମାଲିକ ଟାକ୍ସର ମୂର୍ତ୍ତିଙ୍କ ‘ଜାନକୋ କେଂଜ୍ ହୋଫ’, ଆରବ ଦେବଙ୍କ ‘ୟୋଗୋ ଭମ୍ ଏସଟ’ ଡଲାସ ଭୋମଙ୍କ ‘ରେଗ୍ନା’ ଶ୍ରେଷ୍ଠ ୩ ଅଣ୍ଡିରା ଜର୍ମାନ ସେଫର୍ଡ ବର୍ଗରେ ସ୍ଥାନ ପାଇଥିଲେ । ସେହିପରି ମାଈ ଜର୍ମାନ ସେଫର୍ଡ ବର୍ଗରେ ବୈଭବ ରୟାଲଙ୍କ ‘ଇଜି ଅଫ୍ ଗ୍ୟାଙ୍ଗସ୍, ଧୀରଜ ଦେବଙ୍କ ‘ଡାନିଭୋମ ସେନାଟୋ ଓ ହାରିସ କପିଲଙ୍କ କିଙ୍ଗସେ ୱେ ପିକ୍ସି’ ପ୍ରମୁଖ ରହିଛନ୍ତି । ଏହି ଡଗ୍ ସୋ’ ଚାମ୍ପିଅନସିପ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା କେନେଲ କ୍ଲବର ସଭାପତି ସୁବ୍ରତ ପୃଷ୍ଟି ଓ ସମ୍ପାଦକ ସିଦ୍ଧାନ୍ତ ମହାନ୍ତି ସୂଚନା ଦେଇଛନ୍ତି ।
