
ରାଉରକେଲାରୁ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ ୯ ସିଟ୍ ବିଶିଷ୍ଟ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ବିମାନଟି ଅବତରଣ କରିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା କ୍ରାସ୍ କରିଥିଲା। ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ‘ଏ’ ବ୍ଲକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଏହି ଦୁର୍ଘଟଣାରେ ବିମାନରେ ଥିବା ୪ ଜଣ ଯାତ୍ରୀ ଏବଂ ୨ ଜଣ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ ୬ ଜଣ ଆହତ ହୋଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିମାନଟି ମାତ୍ର ୧୦ କିଲୋମିଟର ଉଡ଼ାଣ ଭରିବା ପରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିମାନଟି କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ବିମାନଟି ଆବାସିକ ଅଞ୍ଚଳ ନିକଟରେ ପଡ଼ିଥିଲେ ମଧ୍ୟ କୌଣସି ପ୍ରାଣହାନି ଘଟିନାହିଁ, ଯାହା ଏକ ବଡ଼ ଆଶ୍ୱସ୍ତିର ବିଷୟ।
