
ମାସେ ହେଲାଣି ପାଟିରେ ଆଇଁଷ ବାଜିନଥିଲା । କିଏ ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ । ଅପେକ୍ଷା କରିଥିଲେ ଛାଡ଼ ଖାଇକୁ । ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ ଛାଡଖାଇ । ହେଲେ ଏଥରକ ଆମିଷ ବଜାର ଉପରେ ଚଡ଼କ ପଡିବ । ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ମୋନ୍ଥା ମାଛ ଦରକୁ ଦେଢ଼ଗୁଣ କରିଥିବା ବେଳେ ଖାସି, ଚିକେନ୍ ଦର ବି ଉପରମୁହାଁ । ଯେମିତି ବି ହେଉ, ଆମିଷଖିଆଙ୍କ ପକେଟ ଫାଙ୍କା କରିଦେବ ଛାଡଖାଇ ।
ବର୍ଷତମାମ ମାଛ ପାଇଁ ଆନ୍ଧ୍ରପ୍ରଦେଶ ହିଁ ଓଡିଶାକୁ ସାହା ହୁଏ । ହେଲେ ଚଳିତବର୍ଷ ବାତ୍ୟା ମୋନ୍ଥା ପାଇଁ ଆନ୍ଧ୍ରପ୍ରଦେଶରେ ମାଛ ଦର ବଢ଼ିଯାଇଛି । ଛାଡଖାଇକୁ ଦୃଷ୍ଟିରେ ରଖି ଏଥରକ ୧୫ଟି ମାଛ ଟ୍ରକ ପାଇଁ ଆନ୍ଧ୍ରପ୍ରଦେଶକୁ କୁହାଯାଇଥିବା ବେଳେ ରୋହି, ଭାକୁର, ମିରିକାଳି ଭଳି ମାଛ କିଲୋପ୍ରତି ୨୦ରୁ ୩୦ଟଙ୍କା ବଢ଼ିପାରେ ବୋଲି ବେପାରୀମାନେ କହିଛନ୍ତି । ପୂର୍ବରୁ ୧୫ ଟ୍ରକ ମାଛରେ ଥିବା ୧୫୦ଟନ୍ ମାଛ କିଣିବାକୁ ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା । ହେଲେ ଏବେ ସେତିକି ମାଛ କିଣିବାକୁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆକଳନ କରାଯାଇଛି । ଏସବୁ ମଧ୍ୟରେ କିନ୍ତୁ କୁକୁଡ଼ା, ଛେଳିଙ୍କ ଆୟୁଷ ଗୋଟିଏ ଦିନ ବଢ଼ିଛି ।
ରାଜଧାନୀର ସବୁଠୁ ବଡ ମାଛ ହାଟ କୁହାଯାଉଥିବା ୟୁନିଟ-୪ ହାଟରେ ଆଜି ବେପାରୀମାନେ ଚଳଚଞ୍ଚଳ ହୋଇପଡିଥିଲେ । ଏହି ହାଟରେ ଓଡିଶାରେ ଉପଲବ୍ଧ ସବୁ ପ୍ରକାରର ମାଛ, କୁକୁଡା, ଛେଳି ଓ ଅଣ୍ଡା ମିଳିଥାଏ । ଏବର୍ଷ ଅଧିକ ଚାହିଦାରେ ଅଛି ବିହାର ଓ କୋଲକାତାରୁ ଆସୁଥିବା ଖାସି । ଯାହର ଦର ରହିଛି ୮୦୦ରୁ ୯୦୦ । ଏହାରି ମଧ୍ୟରେ ମାଛକୁ ନେଇ ପ୍ରଶ୍ନସୃଷ୍ଟି ହୋଇଛି । ଅନ୍ୟଦିନ ମାନଙ୍କରେ ପାଖାପାଖି ୧୦ଟି ମାଛ ଟ୍ରକ ଆନ୍ଧ୍ରରୁ ଆସୁଥିଲା । ରଜ, ଛାଡଖାଇ ବେଳେ ଆଉ ଅଧିକ ୫ଗାଡି ଆସିଥାଏ । ହାଟରେ ରୋହି କିଲୋପ୍ରତି ୧୨୦ରୁ ୧୪୦ ଓ ଭାକୁର ୧୫୦ରୁ ୧୭୦ଟଙ୍କାରେ ବିକ୍ରି ହୁଏ । ଯଦି ଆନ୍ଧ୍ରପ୍ରଦେଶରେ ଦର ବଢ଼ୁଛି ତେବେ ଭୁବନେଶ୍ୱର ମାର୍କେଟରେ ଗ୍ରାହକଙ୍କୁ ଅଧିକ ୨୦ ଟଙ୍କା ଦେବାକୁ ପଡିବ । ବାସ୍ତବ ଦର ନିର୍ଦ୍ଧାରଣ ପାଇଁ ଗୁରୁବାର ସଂଧ୍ୟାରେ ଆଲୋଚନା କରାଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି ।
ଜସିପୁର, ବାରିପୁର, ବାରିପଦା, ହରିପୁର ଓ ଦଶପଲ୍ଲାରୁ ମଟନ୍, ପାରାଦୀପ, ଭଦ୍ରକ, ବ୍ରହ୍ମପୁର, ଭୁଷଣ୍ଡପୁରରୁ ଇଲିସି ସହ ଦେଶୀମାଛ, ପିପିଲି, କଣାସ, ଆଠଗଡ, ନିଆଳିରୁ ଦେଶୀ ଓ ବ୍ରଏଲର କୁକୁଡା ଆସିବ ବୋଲି ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ମହାସଂଘର ସଭାପତି କହିଛନ୍ତି ।

