
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଅଟକ ରଖିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅଭିଯୁକ୍ତ ବୃଦ୍ଧ ଜଣକ ସମ୍ପର୍କରେ ନାବାଳିକାର ଜେଜେ ହେବେ ବୋଲି ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ନରେ ନାବାଳିକା ଜଣକ ଘର ପାଖରେ ବୁଲୁଥିବା ସମୟରେ ଅଭିଯୁକ୍ତ ବୃଦ୍ଧ ତାଙ୍କୁ ଡାକି ନେଇଥିଲେ। ପରେ ଏକ ଗୁହାଳ ଭିତରେ ନାବାଳିକାଙ୍କ ପାଟି ବନ୍ଦ କରି ତାଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଭୟରେ ନାବାଳିକା ଜଣକ ପ୍ରଥମେ କାହାକୁ କିଛି କହିନଥିଲେ ମଧ୍ୟ ପରେ ପରିବାର ଲୋକଙ୍କୁ ସମସ୍ତ ସତ କଥା ଜଣାଇଥିଲେ।
ଏହି ଘଟଣା ପରେ ପରିବାର ପକ୍ଷରୁ ଆରଡ଼ି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଧୂଷୁରୀ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି। ପୋଲିସ ନାବାଳିକାର ଡାକ୍ତରୀ ମାଇନା କରାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସମ୍ପର୍କର ପବିତ୍ରତାକୁ କଳଙ୍କିତ କରିଥିବା ଏହି ବୃଦ୍ଧଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
