
ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି । ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ । ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦିଶିପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।
ନୂଆବର୍ଷ ଦିନ ସକାଳୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ସୁନ୍ଦରଗଡ଼ରେ ଘନରୁ ଅତି ଘନ କୁହୁଡ଼ି ଦେଖା ଦେଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । କୁହୁଡ଼ିରେ ଗାଡ଼ି ଚଳାଇବାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆବର୍ଷରେ ରାତି ତାପମାତ୍ରା ବି ଖସିବ । ଫୁଲବାଣୀ ଓ ଝାରସୁଗୁଡ଼ାରେ ୭ ଡିଗ୍ରୀ, କୋରାପୁଟରେ ୮, ରାଉରକେଲାରେ ୯, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ । ସୋମବାର ଫୁଲବାଣୀରେ ୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭, କୋରାପୁଟରେ ୭.୧, ରାଉରକେଲାରେ ୮.୫, ସୁନ୍ଦରଗଡ଼ରେ ୮.୮, ବୌଦ୍ଧରେ ୧୦, ସୋନପୁରରେ ୧୦.୩, ବଲାଙ୍ଗୀରରେ ୧୦.୮, ରାୟଗଡ଼ାରେ ୧୧.୪ ଡିଗ୍ରୀ ରେକର୍ଡ ହୋଇଥିଲା ।
