
ମାଛ ପାଇଁ ଆନ୍ଧ୍ର ଭରସାରେ ରାୟଗଡ଼ା ଜିଲ୍ଲା । ବାର୍ଷିକ ୨୩.୮୮ ମେଟ୍ରିକ୍ ଟନ୍ ଆବଶ୍ୟକ । ଜିଲ୍ଲାର ଉତ୍ପାଦନ କ୍ଷମତା ରହିଛି ୨୧.୪୩ ମେଟ୍ରିକ ଟନ୍ । ବଳକା ୨.୪୫ ମେଟ୍ରିକ ଟନ୍ ଆନ୍ଧ୍ରରୁ ଆସୁଛି । ମାଛ ଚାଷ ଓ ପ୍ରୋତ୍ସାହନ ପାଇଁ ବିଭାଗ ତତ୍ପରତା ପ୍ରକାଶ କଲେ ଏହି ଲାଭଦାୟକ ଚାଷ ପ୍ରତି ଲୋକ ଅଧିକ ଆକୃଷ୍ଟ ହୋଇପାରିବେ ବୋଲି ରାୟଗଡ଼ାର ଚାଷୀ କହିଛନ୍ତି ।
୨୦୧୨-୧୩ ମସିହାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଗାଁ ଗାଁ ବୁଲି ମାଛ ଚାଷ ପାଇଁ ଲୋକଙ୍କୁ ବୁଝାଇଥିଲେ । ପଦ୍ମପୁର ବ୍ଲକ୍ ଗୁଡ଼ିଆବନ୍ଦର ଯୁବ ଇଞ୍ଜିନିୟର ଚାକିରି ଛାଡ଼ି ମାଛ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ମାଛ ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ୧୬ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି । ତା’ ସହ ପିଜୁଳି ଚାଷ ମଧ୍ୟ କରୁଛନ୍ତି । ଉତ୍ପାଦିତ ମାଛ ଓ ପିଜୁଳି ବାହାର ରାଜ୍ୟକୁ ପଠାଉଛନ୍ତି । ୭ରୁ ୮ ଜଣଙ୍କୁ ସେ ନିଯୁକ୍ତି ଦେଇଛନ୍ତି ।
ସରକାରଙ୍କ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ୨ କୋଟି ୭୭ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏଥିସହ ବୈଜ୍ଞାନିକ ପଦ୍ଧତି ଯଥା ବାୟୋଫ୍ଲକ୍ ପ୍ରଣାଳୀ ପରି ଅନେକ ସୁବିଧା ଯୋଗାଇ ଦିଆଯାଇଛି । ତଥାପି ଜିଲ୍ଲାରେ ମାଛର ଅଭାବ ରହୁଛି । ମୁନିଗୁଡ଼ାରେ ୧୦୪, ଗୁଣପୁରରେ ୪୯, ଗୁଡ଼ାରୀରେ ୪୫, ବିଷମକଟକରେ ୨୫, ରାମନାଗୁଡ଼ାରେ ୨୩, ପଦ୍ମପୁରରେ ୨୩, ରାୟଗଡ଼ାରେ ୧୨, କୋଲନରାରେ ୭, କାଶୀପୁରରେ ୬ ଏବଂ କଲ୍ୟାଣସିଂପୁରରେ ୨ ଜଣ ଚାଷୀ ପୋଖରୀ ଖନନ କରିଥିଲେ ।
ଯୋଜନାରେ ସରକାରଙ୍କ ପକ୍ଷରୁ ୪୦ରୁ ୬୦ ପ୍ରତିଶତ ରିହାତି ସୁବିଧା ଯୋଗାଇ ଦିଆଯାଇଥିଲା । ଜିଲ୍ଲାରେ ଭିତ୍ତିଭୂମି ସହ ଜଳବାୟୁ ଅନୁକୂଳ ରହିଛି । ତଥାପି ତାହାର ସଫଳ ରୂପାୟନ ହେଉ ନାହିଁ । ବର୍ତ୍ତମାନ ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏସ୍ଏଚ୍ଜି ସଦସ୍ୟମାନେ ଠିକ୍ ସମୟରେ ଚାଷ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇ ନ ଥିବାରୁ ଏଭଳି ସମସ୍ୟା ହୋଇଥିଲା । ଏ ସମ୍ପର୍କରେ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ଜିତେନ୍ଦ୍ର ବେହେରା କହିଛନ୍ତି, ଜଣେ ଦକ୍ଷ ମତ୍ସ୍ୟ ଅଧିକାରୀଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ମାଛ ଚାଷରେ ରାୟଗଡ଼ାକୁ ରାଜ୍ୟରେ ଏକ ନମ୍ବର କରିବାକୁ ସମସ୍ତ ଚେଷ୍ଟା କରାଯିବ ।
