
ଗଣିଆ ଥାନା କରଡ଼ାପଡ଼ା ପଞ୍ଚାୟତ କଳାଶିମିଳି ଗାଁରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି l ମୃତ ମହିଳା ଜଣକ ୫୨ ବର୍ଷୀୟ ସୁକାନ୍ତି ବାରିକି ବୋଲି ଜଣାପଡ଼ିଛି । ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ତାଙ୍କ ସ୍ୱାମୀ ରବୀନ୍ଦ୍ର ବାରିକି ହତ୍ୟା ଅଭିଯୋଗ ଆଣିଛନ୍ତି ।
ରବୀନ୍ଦ୍ରଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ପୁଅ କୁନା ବାରିକି ଗାଁ ଦାଣ୍ଡରେ ମା’ ସୁକାନ୍ତିକୁ ନିଶାସକ୍ତ ଅବସ୍ଥାରେ ମାରପିଟ୍ କରିଥିଲା । ସମ୍ପର୍କୀୟ ଅଟକାଇବା ପରେ ସୁକାନ୍ତିଙ୍କୁ କୁନା ଘର ଭିତରକୁ ନେଇ କବାଟ ଦେଇ ଦେଇଥିଲା । ମଧ୍ୟ ରାତ୍ରିରେ ମା’ର ମୃତ୍ୟୁ ହୋଇଥିବା ଖବର ବାପା ଓ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ରହୁଥିବା ଭଉଣୀଙ୍କୁ ଫୋନରେ ଜଣାଇଥିଲା । ସକାଳୁ ସୁକାନ୍ତିଙ୍କ ସ୍ୱାମୀ ଗଣିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଗଣିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁଅ କୁନା ବାରିକିକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।
